ଆଜି ଗଡ଼ିବନି ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍
ଭୁବନେଶ୍ୱର: ଆଜି ଗଡି଼ବନି ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ । ଗତକାଲି କାଳବୈଶାଖୀ ଯୋଗୁଁ ଗଛ ପଡି ପାଇଲଟଙ୍କ ସାମ୍ନା କାଚ ଭାଙ୍ଗି ଯାଇଥିଲା ।
ସୂଚନା ଅନୁସାରେ, ଆଜି (ସୋମବାର) 2895/22896 ହାୱଡ଼ା-ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଆଜି ପାଇଁ ବାତିଲ୍ ହୋଇଛି । ଗତକାଲି ପୁରୀରୁ ହାୱଡ଼ା ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଯାଜପୁର ଜିଲ୍ଲାର ବୈତରଣୀ ରୋଡ୍ ଓ ମଞ୍ଜୁରୀ ରୋଡ୍ ମଧ୍ୟରେ ଅଟକି ରହିଥିଲା । କାଳବୈଶାଖୀ ମାଡ଼ରେ ଉପରେ ଲାଗିଥିବା ବିଦ୍ୟୁତ୍ ତାର କ୍ଷତିଗ୍ରସ୍ତ ହେବା ସହ ଲୋକୋ ପାଇଲଟଙ୍କ ସାମ୍ନା କାଚ ଭାଙ୍ଗି ଯାଇଥିଲା । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପେକ ରକ୍ଷା ପାଇଥିଲେ ଲୋକେ ପାଇଲଟ୍ ।

ତେବେ ପ୍ରାୟ ୪ ଘଣ୍ଟା ଧରି ଅଟକି ରହିବା ପରେ ଏକ ଡିଜେଲ ଇଞ୍ଜିନ ସହାୟତାରେ ଟ୍ରେନ୍କୁ ଭଦ୍ରକ ଅଭିମୁଖେ ନିଆଯାଇ ଥିଲା। କେନ୍ଦୁଆପଡ଼ା ଠାରୁ ରାତି ପ୍ରାୟ ସାଢ଼େ ୯ଟା ବେଳେ ଏହା ବିନା ଡିଜେଲ ଇଞ୍ଜିନରେ ହାୱଡ଼ା ଅଭିମୁଖେ ଯାତ୍ରା କରିଥିଲା ।
ସୂଚନାଥାଉ କି, ଗତ ଗୁରୁବାର ମେ ୧୮ ତାରିଖରେ ରାଜ୍ୟରେ ପ୍ରଥମ ଥର ପାଇଁ ଗଡ଼ିଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସକୁ ଦିଲ୍ଲୀରୁ ଭର୍ଚୁଆଲ ମୋଡ଼ରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ବନ୍ଦେ ଭାରତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ପୁରୀ ଷ୍ଟେସନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପୁରୀ ବିଧାୟକ ଓ ସାଂସଦ ମଧ୍ଯ ଉପସ୍ଥିତ ରହିଥିଲେ ।












Click it and Unblock the Notifications