ଜାନୁଆରୀ 15ରେ ନୂଆ ଭୋଟର ତାଲିକା : କେମିତି ହେବେ ଭୋଟର ତାଲିକାରେ ସାମିଲ ଜାଣନ୍ତୁ
ଆସନ୍ତା ବର୍ଷ ଜାନୁଆରୀ 15 ତାରିଖରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା ।
ଭୁବନେଶ୍ୱର : ଆସନ୍ତା ବର୍ଷ ଜାନୁଆରୀ 15 ତାରିଖରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା । ତେବେ ନୂଆ ଭୋଟର ତାଲିକାରେ ନାଁ ଯୋଡ଼ିବା, ବାଦ୍ ଦେବା ଓ ସଂଶୋଧନ ପାଇଁ ଏବେ ମଧ୍ୟ ଆବେଦନ କରିପାରିବେ । ଏନେଇ ପ୍ରକ୍ରିୟା ନଭେମ୍ବର 15 ତାରିଖରୁ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର 15 ତାରିଖ ପର୍ଯ୍ୟନ୍ତ ସମୟ ସୀମା ରହିଛି । ଏସଂକ୍ରାନ୍ତରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି ।
ସେ ଦେଇଥିବା ସୂଚନା ଅନୁସାରେ ଭୋଟର ତାଲିକାରେ ନାଁ ଯୋଡ଼ିବା, ଭୋଟର କାର୍ଡରେ କୌଣସି ଭୁଲ ଥିଲେ ସଂଶୋଧନ କରିବା କିମ୍ବା ଭୋଟର ତାଲିକାରୁ ନିଜ ନାଁକୁ ବାଦ୍ ଦେବା ପାଇଁ ଏହି ସମୟସୀମା ମଧ୍ୟରେ ଆବେଦନ କରିପାରିବେ । ଫଟୋ ପୁରୁଣା ହୋଇଥିଲେ, ନାଁ ଭୁଲ ହୋଇଥିଲେ କିମ୍ବା ଠିକଣା ପରିବର୍ତ୍ତନ କରିଥିଲେ ମଧ୍ୟ ଏହି ସମୟ ମଧ୍ୟରେ ଆବେଦନ କରିପାରିବେ । ଆପଣ ଚାହିଁଲେ ଉଭୟ ଅଫଲାଇନ୍ ଓ ଅନଲାଇନରେ ମାଧ୍ୟମରେ ଆବେଦନ କରିପାରିବେ ।
କେମିତି କରିବେ ଆବେଦନ ?

ଅଫଲାଇନରେ ଆବେଦନ କରିବାକୁ ବୁଥ୍ ଲେବଲ ଅଫିସରଙ୍କ ସହ ଯୋଗାଯୋଗ କରି ଏଥିନିମନ୍ତେ ଆବଶ୍ୟକ ଫର୍ମ ନେଇ ପାରିବେ ।ଉକ୍ତ ଫର୍ମରେ ନିକଟ ଅତୀତରେ ଉଠା ହୋଇଥିବା ଫଟୋ, ଜନ୍ମ ପ୍ରମାଣପତ୍ର ଓ ବାସସ୍ଥାନ ପ୍ରମାଣପତ୍ର ଦେଇ ଆବେଦନ କରିପାରିବେ । ସେହିପରି ନାଁ ବାଦ୍ ଦେବାକୁ ଚାହିଁଲେ ମଧ୍ୟ ସମାନ ଫର୍ମରେ ଆବେଦନ କରିପାରିବେ । ସଂଶୋଧନ ପାଇଁ ମଧ୍ୟ ସମାନ ଧାରା ଆପଣାଇବାକୁ ପଡିବ । ଅନଲାଇନ୍ ମାଧ୍ୟମରେ କରିବାକୁ ଚାହୁଁଥିଲେ ନିର୍ବାଚନ ଆୟୋଗଙ୍କ ଓ୍ୱେବସାଇଟ୍ ଯାଇ ଆବେଦନ କରିପାରିବେ । ଏହାବାଦ୍ ଭୋଟର ହେଲ୍ପଲାଇନ୍ ମୋବାଇଲ୍ ଆପରେ ମଧ୍ୟ କରିପାରିବେ ଆବେଦନ । ଏହି ସମସ୍ତ ପ୍ରକ୍ରିୟା ଆସନ୍ତା ଡିସେମ୍ବର 15 ତାରିଖ ସୁଦ୍ଧା ଶେଷ କରିବାକୁ କୁହାଯାଇଛି । ଡିସେମ୍ବର 15ରୁ ଜାନୁଆରୀ 5 ଯାଏଁ ଆବେଦନପତ୍ରର ଯାଞ୍ଚ କରାଯିବ । ଏହାପରେ ସଂଶୋଧିତ କିମ୍ବା ନୂଆ ଭୋଟର ତାଲିକା ଜାନୁଆରୀ 15ରେ ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।












Click it and Unblock the Notifications