ମନ୍ତ୍ରୀ ଓ ବିଧାୟକଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି କେତେ ପୋଲିସ ? ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ
ରାଜ୍ୟର ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ କେତେ ପୋଲିସ ଅଧିକାରୀ ମୁତୟନ ଅଛନ୍ତି ? ସେମାନଙ୍କୁ କିପରି ଚୟନ କରାଯାଏ ? ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ।

ଭୁବନେଶ୍ଵର: ଆମ ରାଜ୍ୟର ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ କେତେ ପୋଲିସ ଅଧିକାରୀ ମୁତୟନ ଅଛନ୍ତି ? ସେମାନଙ୍କୁ କିପରି ଚୟନ କରାଯାଏ ? ସେମାନଙ୍କ କର୍ତ୍ତବ୍ୟପରାୟଣ ସମ୍ପର୍କରେ ସମ୍ପୃକ୍ତ ଲୋକ ପ୍ରତିନିଧିଙ୍କ ଠାରୁ ଗୁପ୍ତ ଚରିତ୍ର ପଞ୍ଜିକା ଗ୍ରହଣ କରାଯାଏ କି ? ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ।
ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବିଭିନ୍ନ ମନ୍ତ୍ରୀ ବିଧାୟକ, ସାଂସଦଙ୍କ ସୁରକ୍ଷାରେ ୪୬ ଜଣ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି । ଏହାବ୍ୟତୀତ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ଅନୁମୋଦିତ ହୋଇଥିବା ଆଦେଶନାମା ଅନୁଯାୟୀ ମନ୍ତ୍ରୀ, ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କୁ ସମ୍ପୃକ୍ତ ଜିଲ୍ଲାମାନଙ୍କ ପକ୍ଷରୁ ୨୪୯ ଜଣ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ସେହିପରି କର୍ତ୍ତବ୍ୟ ପରାୟଣ, ଶରୀରିକ ଓ ମାନସିକ ସ୍ତରରେ ସୁସ୍ଥ, ବିଶିଷ୍ଟ ବ୍ୟକ୍ତିଙ୍କ ସୁରକ୍ଷା ସମ୍ବନ୍ଧୀୟ ସ୍ୱତନ୍ତ୍ର ତାଲିମପ୍ରାପ୍ତ ହୋଇଥିବା ପୋଲିସ ଅଧିକାରୀଙ୍କୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ପାଇଁ ସୁରକ୍ଷା ଦୃଷ୍ଟିରୁ ନିୟୋଜିତ କରାଯାଏ । ସମ୍ପୃକ୍ତ ବିଶିଷ୍ଟ ବ୍ୟକ୍ତି ନିୟୋଜିତ ହୋଇଥିବା ସୁରକ୍ଷା କର୍ମୀଙ୍କ ବିରୋଧରେ କୌଣସି ମତାମତ କିମ୍ବା ଟିପ୍ପଣୀ ପ୍ରଦାନ କଲେ ତାହାକୁ ବିଚାରକୁ ନିଆଯାଏ ବୋଲି ମନ୍ତ୍ରୀ ଉତ୍ତରରେ କହିଛନ୍ତି ।
କେତେ ପୋଲିସ ପଦବି ଖାଲି ପଡ଼ିଛି ?
ଅନ୍ୟପଟେ ରାଜ୍ୟରେ କେତେ ପୋଲିସ ପଦବି ଖାଲି ପଡ଼ିଛି ? ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା। ସେ କହିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା। ସେ କହିଛନ୍ତି, ପାଞ୍ଚଟି ବର୍ଗର ମଞ୍ଜୁରିପ୍ରାପ୍ତ ୧୩୯୩୮୪ ରୁ ୨୮୦୭୪ଟି ପଦବି ଖାଲି ପଡ଼ିଛି ।
'କ' ବର୍ଗରେ ୧୦୩୯ ମଞ୍ଜୁରିପ୍ରାପ୍ତ ପଦବି ଭିତରୁ ୨୯୭ଟି, 'ଖ' ବର୍ଗରେ ୬୪୫୪ ମଧ୍ୟରୁ ୨୧୨୦, 'ଗ' ବର୍ଗରେ ୬୨୧୯୯ ଭିତରୁ ୧୧୬୨୦ ଓ 'ଘ' ବର୍ଗରେ ୬୯୬୯୨ ମଧ୍ୟରୁ ୧୪୦୩୭ଟି ପୋଲିସ ପଦବି ଖାଲି ରହିଛି । ଏହାଛଡ଼ା ମନ୍ତ୍ରୀ କହିଛନ୍ତି, କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ମଧ୍ୟରୁ କେତେଜଣ ପରିବହନ ବିଭାଗ ସମେତ ଅନ୍ୟାନ୍ୟ ବିଭାଗକୁ ଡେପୁଟେସନରେ ଯାଇଛନ୍ତି, ସେନେଇ ସବିଶେଷ ତଥ୍ୟ ହାସଲ କରାଯାଉଛି । ପୋଲିସ ପଦବି ପୂରଣ ଦିଗରେ ପଦକ୍ଷେପ ନିଆଯାଉଛି ।












Click it and Unblock the Notifications