ରାଜ୍ୟରେ କେତେ ଜଣଙ୍କ ପାଖରେ ରହିଛି ବନ୍ଧୁକ ଲାଇସେନ୍ସ ? ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର: ଶେଷ ପର୍ଯ୍ୟାୟରେ ବିଧାନସଭା ବଜେଟ୍ ଅଧିବେଶନ । ଆଜି ସୋମବାର ଗୃହରେ ବନ୍ଧୁକ ଲାଇସେନ୍ସ ନେଇ ଆଲୋଚନା ହୋଇଥିଲା । ରାଜ୍ୟରେ କେତେ ଜଣଙ୍କ ପାଖରେ ବନ୍ଧୁକ ପାଇଁ ଲାଇସେନ୍ସ ଅଛି ? ପ୍ରଶ୍ନ କରିଥିଲେ ବିଧାୟକ ତାରାପ୍ରସାଦ ବାହିନୀପତି ।
ଯାହାର ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ସେ କହିଛନ୍ତି ଯେ, ରାଜ୍ୟରେ ୧୮୨୬୮ ଜଣଙ୍କୁ ମିଳିଛି ବନ୍ଧୁକ ଲାଇସେନ୍ସ । କୌଣସି ବ୍ୟକ୍ତିଙ୍କର ବ୍ୟକ୍ତିଗତ ସୁରକ୍ଷା, କ୍ରୀଡା ଏବଂ ଟାର୍ଗେଟ ଅଭ୍ୟାସ ଓ ବ୍ୟାଙ୍କ ସମ୍ପତ୍ତି ସୁରକ୍ଷା ନିମନ୍ତେ ଆରକ୍ଷୀ ଅଧୀକ୍ଷକଙ୍କ ରିପୋର୍ଟ ଆଧାରରେ ବନ୍ଧୁକ ଲାଇସେନ୍ସକୁ ଜିଲ୍ଲାପାଳ ପ୍ରଦାନ କରିଥାନ୍ତି ।
କେଉଁଝରରେ ସର୍ବାଧିକ ୧୩୨୭ ଜଣ, ଅନୁଗୁଳରେ ୧୨୦୩, ବାଲେଶ୍ଵରରେ ୧୧୫୫, ଢେଙ୍କାନାଳରେ ୧୧୨୬, ପୋଲିସ କମିଶନରେଟରେ ୩୨୫ ଜଣ ବ୍ୟକ୍ତି ବିଶେଷଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି।
ସେହିଭଳି ରାଜ୍ୟରେ ବେଆଇନ ବନ୍ଧୁକ କାରବାର ଦୃଷ୍ଟିଗୋଚର ହେଲେ ଚୋରା କାରବାର କରୁଥିବା ବନ୍ଧୁକ ମାଫିଆଙ୍କ ବିରୋଧରେ ବିଭିନ୍ନ ଧାରାରେ ଅଭିଯୋଗ ଦାଏର କରାଯାଏ । ପୂର୍ବରୁ ବେଆଇନ ବନ୍ଧୁକଧାରୀ ଓ ଚୋରା କାରବାର କରୁଥିବା ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଲିଖିତ ଉତ୍ତର ଦେଇଛନ୍ତି ତୁଷାରକାନ୍ତି ବେହେରା ।












Click it and Unblock the Notifications