କେମିତି ଛାଡିବ ଗୁରୁ ଶିଷ୍ୟ ସମ୍ପର୍କରୁ କଳାଦାଗ ? କେବେ ମିଳିବ ନ୍ୟାୟ ?
କେମିତି ଛାଡିବ ଗୁରୁ ଶିଷ୍ୟ ସମ୍ପର୍କରୁ କଳାଦାଗ ? ବାରମ୍ବାର ଆସୁଛି ଏପରି ଘଟଣା? କେବେ ମିଳିବ ନ୍ୟାୟ ? ଆଉ କେତେ ସୌମ୍ୟାଶ୍ରୀ ?
ସୌମ୍ୟାଶ୍ରୀ ପ୍ରାୟ ୬ ମାସ ଧରି ଶିକ୍ଷା ବିଭାଗର ମୁଖ୍ୟ ସମୀର କୁମାର ସାହୁଙ୍କଠାରୁ ଯୌନ ଓ ମାନସିକ ନିର୍ଯାତନା ଭୋଗିଥିଲେ। ଗତ ଜୁନ୍ ୩୦ରେ ସେ ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲୀପ ଘୋଷଙ୍କୁ ଲିଖିତ ଅଭିଯୋଗ କରିଥିଲେ। ପରଦିନ ଜୁଲାଇ ୧ରେ ସେ ନିଜର 'X' ଆକାଉଣ୍ଟରେ ଏହି ଅଭିଯୋଗ ଉଲ୍ଲେଖ କରି ରାଜ୍ୟ ସରକାର, ବିଭିନ୍ନ ଅଧିକାରୀ ଏବଂ ନେତାମାନଙ୍କୁ ଟ୍ୟାଗ୍ କରି ନ୍ୟାୟ ମାଗିଥିଲେ। କିନ୍ତୁ, କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ନିରାଶ ହୋଇ ଗତ ୧୨ ଜୁଲାଇ ଶନିବାର ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ। ଉପସ୍ଥିତ ଛାତ୍ରମାନେ ତାଙ୍କୁ ଉଦ୍ଧାର କରିଥିଲେ ହେଁ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।

ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହାକୁ "ଆନୁଷ୍ଠାନିକ ବିଶ୍ୱାସଘାତକତା" ଓ "ଯୋଜନାବଦ୍ଧ ଅନ୍ୟାୟ" ବୋଲି ଅଭିହିତ କରି ରାଜ୍ୟପାଳଙ୍କୁ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରି ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଘଟିଥିବା ଏକ ହୃଦୟବିଦାରକ ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଶିକ୍ଷା ବିଭାଗର ମୁଖ୍ୟ (ଏଚ୍ଓଡି) ସମୀର କୁମାର ସାହୁଙ୍କ ଦ୍ୱାରା ଯୌନ ଓ ମାନସିକ ନିର୍ଯାତନାର ଶିକାର ହୋଇଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମହତ୍ୟା ଉଦ୍ୟମ ପରେ ତିନି ଦିନ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ତାଙ୍କ ଶରୀରର ୯୫% ପୋଡ଼ି ଯାଇଥିବା ହେତୁ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମ୍ସର ବର୍ନ ୟୁନିଟ୍ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା। ଦିଲ୍ଲୀ ଏମ୍ସର ବିଶେଷଜ୍ଞ ଡାକ୍ତରଙ୍କ ସହାୟତାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ୨୪ ଘଣ୍ଟା ନିରୀକ୍ଷଣରେ ଚିକିତ୍ସା ଚଳାଇଥିଲେ। କିନ୍ତୁ, ସମସ୍ତ ଚେଷ୍ଟା ସତ୍ତ୍ୱେ ସୋମବାର ବିଳମ୍ବିତ ରାତିରେ ସୌମ୍ୟାଶ୍ରୀଙ୍କର ମୃତ୍ୟୁ ହୋଇଛି।












Click it and Unblock the Notifications