ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ଓଡ଼ିଶାରେ ଇଫ୍କୋର ସଲ୍ଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଭାରତୀୟ କୃଷକ ସାର ସମବାୟ ଲିମିଟେଡ୍ ଦ୍ୱାରା ପାରାଦ୍ୱୀପ ୟୁନିଟ୍ରେ ଏହି ପ୍ଲାଣ୍ଟକୁ ସ୍ଥାପନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ସହକାର୍ ସେ ସମୃଦ୍ଧି' ଦୃଷ୍ଟିକୋଣକୁ ଅଧିକ ଗତିଶୀଳ କରିବା ଏହି ପ୍ଲାଣ୍ଟ ସ୍ଥାପନର ଅନ୍ୟତମ ଉଦ୍ଦେଶ୍ୟ । ଓଡ଼ିଶାକୁ କାଲି ଗସ୍ତରେ ଆସିବା ଅବସରରେ ଶ୍ରୀ ଶାହା ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ କେତେକ ସମବାୟ କ୍ଷେତ୍ର ପ୍ରକଳ୍ପର ଉଦ୍ଘାଟନ ଓ ଶୁଭାରମ୍ଭ କରିବେ ।
ରାଜ୍ୟ ସମବାୟ ନୀତିର ପ୍ରକାଶନ, ତ୍ରିଭୁବନ ସମବାୟ ବିଶ୍ୱବିଦ୍ୟାଳୟ ଅଧୀନରେ ଏକ ବିଦ୍ୟାଳୟ ସ୍ଥାପନ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ଓ ବଡ଼ମ୍ବା ତିନି ଶିଳ୍ପର ପୁନରୁଦ୍ଧାର ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି । ପ୍ରାଥମିକ୍ କୃଷି କ୍ରେଡିଟ୍ ସୋସାଇଟି ପାକ୍ସ୍ ଏବଂ ବୃହତ୍ କ୍ଷେତ୍ର ବହୁମୁଖୀ ସମାଜ ଲାମ୍ସ ଦ୍ୱାରା ପରିଚାଳିତ ୧ ହଜାର ୫୬୭ ସାଧାରଣ ସେବା କେନ୍ଦ୍ରକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାର କାର୍ଯ୍ୟସୂଚୀ ରହିଛି । ଦୁଗ୍ଧ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ସହିତ ଜଡ଼ିତ ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ଏହି ଗସ୍ତ ଅବସରରେ ଆଲୋକପାତ କରାଯିବାର କାର୍ଯ୍ୟସୂଚୀ ରହିଛି ।

୧ହଜାର ୧୫୯ କୋଟି ଟଙ୍କା ମୂଲ୍ୟର ୬୯ଟି ପ୍ରକଳ୍ପର ଉଦ୍ଘାଟନ ଏବଂ ୨ ହଜାର ୧୧୬ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୩୦ଟି ପ୍ରକଳ୍ପର ଶ୍ରୀ ଶାହା ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ଗସ୍ତ ଅବସରରେ ଶ୍ରୀ ଶାହା ଆସନ୍ତାକାଲି ମୁଣ୍ଡଳୀଠାରେ ସି.ଆଇ.ଏସ୍.ଏଫ୍.ର ୫୭ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସି.ଆଇ.ଏସ୍.ଏଫ୍. ମହାନିର୍ଦ୍ଦେଶକ ସୂଚନା
ଦେଇଛନ୍ତି ।












Click it and Unblock the Notifications