ସମ୍ପୂର୍ଣ୍ଣ ହେଲା ରାଉରକେଲା ହକି ଷ୍ଟାଡିୟମ ଓ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ: ୧୩ରେ ପ୍ରଥମ ମ୍ୟାଚ, ୨୪ରୁ ଅଭ୍ୟାସ
ସମ୍ପୂର୍ଣ୍ଣ ହେଲା ରାଉରକେଲା ହକି ଷ୍ଟାଡିୟମ ଓ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ । ଆସନ୍ତା ଜାନୁଆରୀ ୧୩ରେ ହକି ବିଶ୍ୱକପର ପ୍ରଥମ ମ୍ୟାଚ ଭାରତ ଓ ସ୍ପେନ ମଧ୍ୟରେ ଏଠାରେ ଖେଳାଯିବ ।
ଭୁବନେଶ୍ବର: ସମ୍ପୂର୍ଣ୍ଣ ହେଲା ରାଉରକେଲା ହକି ଷ୍ଟାଡିୟମ ଓ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ । ଆସନ୍ତା ଜାନୁଆରୀ ୧୩ରେ ହକି ବିଶ୍ୱକପର ପ୍ରଥମ ମ୍ୟାଚ ଭାରତ ଓ ସ୍ପେନ ମଧ୍ୟରେ ଏଠାରେ ଖେଳାଯିବ । ସେହିପରି ଆସନ୍ତା ୨୪ ତାରିଖରୁ ନୂତନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳାଳିମାନେ ଅଭ୍ୟାସ ଆରମ୍ଭ କରିବେ ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ. ପାଣ୍ତିଆନ ରାଉରକେଲା ଗସ୍ତ କରି ହକି ଷ୍ଟାଡିୟମ ସହିତ ରାଉରକେଲା ବିମାନ ବନ୍ଦର ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହି ଟିମ ରାଉରକେଲାରେ ବିପିୟୁଟି କ୍ୟାମ୍ପସରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଅନୁଧ୍ୟାନ କରିଥିଲେ । ଉଭୟ ମୁଖ୍ୟ ଓ ଅଭ୍ୟାସ ପଡିଆର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଷ୍ଟାଡିଅମର ଦୁଇଟି ଯାକ ପିଚ୍ ଓ ହାଇମାସ୍କ ଲାଇଟ ଯାଞ୍ଚ ପରେ ଖେଳ ପାଇଁ ଲାଇସେନ୍ସ ମିଳିଛି ।

ଉଲେଖନୀୟ ଯେ, ପୁରୁଷ ହକି ବିଶ୍ବକପର ୨୦ଟି ମ୍ୟାଚ ରାଉଲକେଲାରେ ଖେଳାଯିବ । ପ୍ରଥମ ମ୍ୟାଚ ଆସନ୍ତା ଜାନୁୟାରୀ ୧୩ ତାରିଖରେ ଭାରତ ଓ ସ୍ପେନ ମଧ୍ୟରେ ଅନୁଷ୍ଠିତ ହେବ । ଏହାପୂର୍ବରୁ ଆସନ୍ତା ୨୪ ତାରିଖରୁ ତିନୋଟି ଅଭ୍ୟାସ ମ୍ୟାଚ ଖେଳାଯିବ । ଏହି ଅଭ୍ୟାସ ମ୍ୟାଚ ସମୟରେ ଯଦି କିଛି ତ୍ରୁଟିଥିବା ନେଇ ଜଣାପଡେ । ତେବେ ଭିତ୍ତିଭୂମିକୁ ଦୃଢ଼ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ । ଏହାସହ ରାଉରକେଲା ବିମାନ ବନ୍ଦରର କାର୍ଯ୍ୟ ଶେଷ ହୋଇଛି ଏବଂ ଖୁବଶୀଘ୍ର ଆବଶ୍ୟକୀୟ ଲାଇସେନ୍ସ ମିଳିବା ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ।
ଉଡାଣ ଯୋଜନାରେ ଖେଳାଳି ମାନଙ୍କ ପାଇଁ ୪ଟି ବିମାନ ଉଡାଣ ସୁବିଧା ମିଳିବ । ଗୋଟିଏ ବର୍ଷ ମଧ୍ୟରେ ଏଭଳି ଏକ ବିଶ୍ବସ୍ତରୀୟ ଷ୍ଟାଡିୟମ ନିର୍ମାଣ କରାଯାଇଛି । ଏଥିନିମନ୍ତେ ରାଜ୍ୟ ସରକାରଙ୍କୁ ସମସ୍ତ ସହଯୋଗ ପ୍ରଦାନ କରିଥିବାରୁ ସୁନ୍ଦରଗଡ ଓ ରାଉଲକେଲା ବାସୀଙ୍କୁ ମୁଖ୍ୟଶାସନ ସଚିବ ଓ ୫-ଟି ସଚିବ ଧନ୍ୟବାଦ ଦେଇଛନ୍ତି ।

ରାଉରକେଲାରେ ପ୍ରଥମ ଥର ପାଇଁ ହକି ବିଶ୍ୱକପ ହେବାକୁ ଯାଉଛି। ତେଣୁ ହକି ମ୍ୟାଚ ଦେଖିବା ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଦର୍ଶକ ରାଉରକେଲାକୁ ଆସିବେ। ତେଣୁ ଦର୍ଶକମାନଙ୍କ ଗାଡ଼ିଗୁଡ଼ିକୁ ସୁବିଧାରେ ରଖିବା ପାଇଁ ଷ୍ଟାଡିୟମ ଚାରିପଟେ ଆଧୁନିକ ପାର୍କିଂ ସ୍ଥଳ କରାଯାଉଛି। ତା'ଛଡ଼ା ଷ୍ଟାଡିୟମ ଭିତରେ ପାନୀୟ ଜଳ ଏବଂ ଶୌଚାଳୟ ଆଦି ସୁବିଧା କରାଯାଉଛି। ଯେଉଁ ଦର୍ଶକମାନେ ଷ୍ଟାଡିୟମ ବାହାରେ ରହିଥିବେ ସେମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଏଲଇଡି ଲଗାଇବାର ବ୍ୟବସ୍ଥା କରାଯାଉଛି।
ସୂଚନାଯୋଗ୍ୟ ଯେ, ୨୦୨୩ ପୁରୁଷ ହକି ବିଶ୍ୱକପ ଓଡ଼ିଶାରେ ଖେଳାଯିବ। ଏହି ବିଶ୍ୱକପ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ହେବାକୁ ଯାଉଛି। ଏହି କ୍ରୀଡ଼ା ଭିତ୍ତିଭୂମି ଭାରତର ସବୁଠୁ ବଡ଼ ହକି ଷ୍ଟାଡିୟମର ରୂପ ନେବାକୁ ଯାଉଛି। ଏହି ଷ୍ଟାଡିୟମରେ ଏକା ସାଙ୍ଗରେ ୨୦ ହଜାରରୁ ଅଧିକ ଦର୍ଶକ ବସି ଖେଳ ଉପଭୋଗ କରିପାରିବେ।












Click it and Unblock the Notifications