ଶେଷ ହେଲା ହକି ବିଶ୍ୱକପ ଉଦଘାଟନୀ ଉତ୍ସବ, ବଲିଉଡ଼ ଷ୍ଟାରଙ୍କ ତାଳେତାଳେ ଝୁମିଲେ ଦର୍ଶକ
ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଉଦଘାଟିତ ହେଲା ପୁରୁଷ ହକି ବିଶ୍ୱକପ ୨୦୨୩ । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ହକି ମହାକୁମ୍ଭର ଶୁଭାରମ୍ଭ ହୋଇଛି ।
କଟକ: ଶେଷ ହେଲା ହକି ବିଶ୍ୱକପ ଉଦଘାଟନୀ ଉତ୍ସବ । ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ଏହି ମେଗା ଇଭେଣ୍ଟ ସୁରୁଖୁରେ ଶେଷ ହୋଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଉଦଘାଟିତ ହେଲା ପୁରୁଷ ହକି ବିଶ୍ୱକପ ୨୦୨୩ । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ହକି ମହାକୁମ୍ଭର ଶୁଭାରମ୍ଭ ହୋଇଛି ।

ଉଦଘାଟନୀ ଉତ୍ସବରେ ଷ୍ଟାଡିୟମରେ ପ୍ରାୟତଃ ୪୦ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହୋଇଥିଲେ । ଉଦଘାଟନୀ ଉତ୍ସବର ସିଧାପ୍ରସାରଣ ଦେଖିବା ପାଇଁ ସହରର ୧୬ଟି ସ୍ଥାନରେ ଫ୍ୟାନ୍ ପାର୍କ କରାଯାଇଥିଲା । ପ୍ରତି ୱାର୍ଡ଼ରେ ମଧ୍ୟ ଏଲଇଡି ସ୍କ୍ରିନ୍ର ବ୍ୟବସ୍ଥା ହୋଇଛି । ଏଥି ସହିତ ଡିଡି ଓଡିଆ, ଡିଡି ସ୍ପୋର୍ଟ ଓ ଓଡିଶା ସ୍ପୋର୍ଟ ୟୁଟ୍ୟୁବ ଚ୍ୟାନେଲରେ କାର୍ଯକ୍ରମର ଲାଇଭ୍ ମଧ୍ୟ ପ୍ରାସାରଣ କରାଯାଉଥିଲା ।
ହଜାର ହଜାର ଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ଆକର୍ଷଣ ସାଜିଥିଲେ ବଲିଉଡ୍ ଷ୍ଟାର ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପାଟନୀ । ଦିଶାଙ୍କ ଠୁମକାରେ ମତୁଆଲା ହେଲେ ଦର୍ଶକ । ଏଥିସହିତ ସଂଗୀତ ନିର୍ଦ୍ଦେଶକ ପ୍ରୀତମ ଓ ତାଙ୍କ ବ୍ୟାଣ୍ଡର ମଧୁର ଗୀତର ତାଳେତାଳେ ଝୁମିଲେ ଦର୍ଶକ । ସେହିପରି ବ୍ଲାକ ସ୍ୱାନ୍ ଗ୍ରୁପ୍
ଯୁବପିଢିଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିଥିଲା ।
ଅନ୍ୟପଟେ ଓଲିଉଡ୍ ଷ୍ଟାର୍ କପଲ୍ ସବ୍ୟସାଚୀ-ଅର୍ଚ୍ଚିତାଙ୍କ ପରଫର୍ମାନ୍ସକୁ ମଧ୍ୟ ଉପଭୋଗ କରିଛନ୍ତି ଦର୍ଶକ। ସମ୍ବଲପୁରୀ ନୃତ୍ୟରୁ ଆରମ୍ଭ ହୋଇଥିବା ବେଳେ, ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ସ୍ମିତି ମିଶ୍ର, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍, ରାପର ବିଗ୍ ଡିଲ୍, ରିତୁରାଜ ମହାନ୍ତିଙ୍କ ଗୀତ ସମସ୍ତଙ୍କ ମନ ମୋହିଥିଲା ।
ଉଲ୍ଲେଖଥାଉ କି, ବିଶ୍ୱକପ୍ ହକି ଜାନୁଆରୀ ୧୩ରୁ ୨୯ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡ଼ିୟମରେ ଖେଳାଯିବ । କ୍ରମାଗତ ଦ୍ୱିତୀୟ ଥର ହକି ବିଶ୍ୱକପର ଆୟୋଜନ କରି ଏକ ବିରଳ ରେକର୍ଡ କରିଛି ଓଡିଶା ।
ତେବେ ୨୦୧୮ରେ ଓଡିଶା ପ୍ରଥମ ଥର ପାଇଁ ହକି ବିଶ୍ୱକପର ଆୟୋଜନ କରିଥିଲା । କିନ୍ତୁ ସେତେବେଳେ ହକି ଖେଳକୁ ନେଇ ରାଜ୍ୟବାସୀଙ୍କ ଭିତରେ ଯେତିକି ଉକ୍ରଣ୍ଠା ଥିଲା ତାହା ଏବେ ବହୁ ପରିମାଣରେ ବଢ଼ି ଯାଇଛି । ଯାହାର ପ୍ରମାଣ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହକି ବିଶ୍ୱକପ୍ ଉଦଘାଟନି ଉତ୍ସବରୁ ସ୍ପଷ୍ଟ ହୋଇଯାଇଛି ।












Click it and Unblock the Notifications