ନବୀନଙ୍କୁ ଭେଟିଲେ ରାଉରକେଲା ଓ କଟକର ଶତାଧିକ ହକିପ୍ରେମୀ
ବିଶ୍ବକପ୍ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଆଜି ଶହ ଶହ ଯୁବକ ସାଇକେଲ ଯୋଗେ ଭୁବନେଶ୍ବର ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।
ଭୁବନେଶ୍ବର: ବିଶ୍ବକପ୍ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଆଜି ଶହ ଶହ ଯୁବକ ସାଇକେଲ ଯୋଗେ ଭୁବନେଶ୍ବର ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କର ଏହି ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇବା ସହ ରାଉରକେଲାରେ ବିଶ୍ବକପର ସଫଳତା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ସେମାନଙ୍କ ସହିତ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଓ ରଘୁନାଥପଲ୍ଲୀ ବିଧାୟକ ସୁବ୍ରତ ତରାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ସାରା ରାଜ୍ୟରେ ଏବେ ହକିର ମାହୋଲ । ପୁରପଲ୍ଲୀ, ସହର ବଜାର ସବୁଆଡେ ଏବେ ହକିକୁ ନେଇ ଚର୍ଚ୍ଚା। କଟକରୁ ସୁନ୍ଦରଗଡ, ସବୁଆଡେ ଉତ୍ସବ ଚାଲିଛି । ଏଥର ପ୍ରଥମ ଥର ପାଇଁ ହକିର ଏନ୍ତୁଡିଶାଳ ସୁନ୍ଦରଗଡରେ ହକି ବିଶ୍ବକପ୍ ଆୟୋଜନ କରାଯାଇଛି । ତା ସହିତ ରାଉରକେଲାରେ ବିଶ୍ବର ବୃହତ୍ତମ ହକି ଷ୍ଟାଡିଅମ ବିର୍ସାମୁଣ୍ଡା ହକି ଷ୍ଟାଡିଅମ ମଧ୍ୟ ନିର୍ମିତ ହୋଇଛି । ସେଠାରେ ଖେଳାଯିବ ବିଶ୍ବକପର ଉଦ୍ଘାଟନୀ ମ୍ୟାଚ। ତେଣୁ ପୁରା ସୁନ୍ଦରଗଡ ଜିଲ୍ଲାରେ ବିପୁଳ ଉତ୍ସାହ ଦେଖା ଦେଇଛି । ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିଅମରେ ଚଳିତ ଥର ବିଶ୍ବକପ୍ର ଆୟୋଜନ କରାଯାଇଥିବାରୁ ସାରା ସୁନ୍ଦରଗଡ ଉତ୍ସବ ମୁଖର ହୋଇଉଠିଛି । ସମସ୍ତେ ବିଶେଷ କରି ଯୁବସମାଜ ମଧ୍ୟରେ ଦେଖାଦେଇଛି ଅପୂର୍ବ ଉତ୍ସାହ ।
ସେହିପରି ଆସନ୍ତାକାଲି କଟକରେ ଆୟୋଜିତ ହେଉଛି ହକି ବିଶ୍ବକପର ଉଦଘାଟନୀ ସମାରୋହ। ଐତିହ୍ୟ ସହର କଟକକୁ ବିଶ୍ବକପ ହକି ଆୟୋଜନରେ ସିଧାସଳଖ ଯୋଡି ଥିବାରୁ ପୂର୍ବତନ ବିଧାୟକ ତଥା କଟକ ନଗର ଶାନ୍ତି କମିଟିର ଅଧ୍ୟକ୍ଷ ପ୍ରଭାତ ତ୍ରିପାଠୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଥିଲେ। ବିଶ୍ବକପ୍ ହକି ଉଦଘାଟନୀ ସମାରୋହ ସଫଳ ଭାବେ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ କଟକ ସହରବାସୀଙ୍କ ସହଯୋଗ କାମନା କରିଥିଲେ ।












Click it and Unblock the Notifications