ଓଡ଼ିଶାରେ ହକି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଅପୂର୍ବ ସମାଗମ: ସମୃଦ୍ଧ ହେଉଛି ରାଜ୍ୟର ପର୍ଯ୍ୟଟନ
ଓଡ଼ିଶାରେ ହକି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଅପୂର୍ବ ସମାଗମ : ସମୃଦ୍ଧ ହେଉଛି ରାଜ୍ୟର ପର୍ଯ୍ୟଟନ
ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ବିଶ୍ୱ ହକିର ମହାକୁମ୍ଭ। ଉଦଘାଟନୀ ଦିବସର ଶେଷ ମ୍ୟାଚରେ ବିପକ୍ଷ ସ୍ପେନକୁ 2-0 ଗୋଲରେ ମାତ୍ ଦେଇ ଟୁର୍ଣ୍ଣମେଣ୍ଟର ପ୍ରଥମ ବିଜୟ ହାସଲ କରିଛି ଭାରତ । ଅନ୍ୟତମ ଫେଭରାଇଟ୍ ଟିମ୍ ଆର୍ଜେଣ୍ଟିନା ମଧ୍ୟ ପ୍ରଥମ ମ୍ୟାଚ୍ରେ ବିଜୟ ହାସଲ କରିଛି। ଶୁକ୍ରବାରରୁ ଟାଇଟଲ୍ ଲଢ଼େଇକୁ ଓହ୍ଲାଇଛନ୍ତି ଡିଫେଣ୍ଡିଂ ଚାମ୍ପିଅନ୍ ବେଲଜିୟମ୍ ସହ ୧୬ଟି ଦେଶ । ୧୭ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତା ଉଭୟ ଭୁବନେଶ୍ଵର ଓ ରାଉରକେଲାରେ ଖେଳାଯାଉଛି । ହକି ବିଶ୍ୱକପ ଦେଖିବା ପାଇଁ ରାଜ୍ୟକୁ ଦେଶ, ବିଦେଶରୁ ୭୦ ପ୍ରତିଶତ ଅଧିକ ପର୍ଯ୍ୟଟକଙ୍କ ଆଗମନ ଘଟିବ ବୋଲି ଆଶାବାଦୀ ରାଜ୍ୟ ସରକାର ।
୨୦୨୧ ମସିହାରେ ଏହି ବିଶ୍ଵକପ୍ ଆୟୋଜନ ଦୃଷ୍ଟିରୁ କଳିଙ୍ଗ ଷ୍ଟାଡିୟମ୍ ନବୀକରଣ ଓ ରାଉରକେଲା ଠାରେ ୨୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଏକ ନୂତନ ଅନ୍ତର୍ଜାତୀୟ ଷ୍ଟାଡିୟମ୍ ନିର୍ମାଣ ପାଇଁ ୩୫୬.୩୮ କୋଟି ଟଙ୍କାର ବଜେଟ୍ ଘୋଷିତ ହୋଇଥିଲା । ଏବେ ବିଶ୍ୱକପ୍ ପ୍ରତିଯୋଗିତା ଉଦ୍ଘାଟନୀର ଦୁଇ ଦିନ ପରେ ଓଡ଼ିଶାର 'ଫେଷ୍ଟ' ଦ୍ଵିତୀୟ ସଂସ୍କରଣ ଭୁବନେଶ୍ଵରକୁ ଫେରିଛି । ୨୧ କୋଟିର ବଜେଟ୍ ସାଙ୍ଗକୁ ଏହି ସାଂସ୍କୃତିକ ମହାସମାଗମ ଅଧିକ ବିଶାଳ ହେବାର ସ୍ପର୍ଦ୍ଧା ରଖିଛି ଯେଉଁଥିରେ ରାଜ୍ୟର ସାଂସ୍କୃତିକ ବିଭବ ସାଙ୍ଗକୁ ଖାଦ୍ୟ, ମନୋରଞ୍ଜନ, କଳାର ଆସର ପ୍ରଦର୍ଶିତ ହେବାକୁ ଯାଉଛି। ଭୁବନେଶ୍ଵର ଇଡ୍କୋ ପଡ଼ିଆରେ ହେଉଥିବା ଏହି ଭବ୍ୟ କାର୍ଯ୍ୟକ୍ରମକୁ ଦୈନିକ ୧୫ ହଜାର ଦର୍ଶକ ଆସିବେ ବୋଲି ଆଶା କରାଯାଉଛି। ରବିବାରରୁ ଆରମ୍ଭ ହୋଇ ଚଳିତ ମାସ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଫେଷ୍ଟ୍।
ବହୁଚର୍ଚ୍ଚିତ ସେଫ୍ ହେମନ୍ତ ଓବରୟ ଆଶା କରୁଛନ୍ତି ଯେ, ଏହି ଅବସରରେ ଅଂଶଗ୍ରହଣକାରୀ ୧୬ଟି ଦେଶର ଭଳିକି ଭଳି ସ୍ଵାଦିଷ୍ଟ ଖାଦ୍ୟ ସାଙ୍ଗକୁ ସ୍ଥାନୀୟ ତଥା ଓଡ଼ିଆ ଏବଂ ଭାରତର ଅନ୍ୟ ରାଜ୍ୟମାନଙ୍କର ବ୍ୟଞ୍ଜନର ଭଲ ବେପାର ଜମି ଉଠିବ । ୨୦୧୮ରେ ଆୟୋଜିତ ପ୍ରଥମ ସଂସ୍କରଣ ଯାହାର ଉଦ୍ଦେଶ୍ୟ ଥିଲା ରାଜଧାନୀରେ ସାଂସ୍କୃତିକ କ୍ଷେତ୍ରକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା, ସେହିପରି ଦ୍ଵିତୀୟ ସଂସ୍କରଣ ତା ଠାରୁ ଅଧିକ ବିରାଟ ହେବାର ସ୍ପର୍ଦ୍ଧା ରଖୁଛି। ପ୍ରଥମ କରି ମଧ୍ୟରାତ୍ରରେ ବଜାର ସାଙ୍ଗକୁ ରାଜ୍ୟର ନାଁ କରା ତଥା ପୁରସ୍କାର ବିଜେତା ହସ୍ତଶିଳ୍ପ କାରିଗରଙ୍କ ହସ୍ତତନ୍ତ ସାମଗ୍ରୀରେ ସମୃଦ୍ଧ ବଜାର ଆକର୍ଷଣର ବିନ୍ଦୁ ସାଜିବ।
ଆହୁରି ମଧ୍ୟ ଏଥିରେ ରହିଛି ଏକ ନିଆରା ଫଟୋ ପ୍ରଦର୍ଶନୀ ଯାହା ମନ୍ଦିରମାଳିନୀ ଓ ରାଜଧାନୀ ନଗରର ୧୮୬୦ରୁ ଏଯାବତ୍ ଯାତ୍ରାକୁ ପ୍ରଦର୍ଶିତ କରିବ। ଏହି ମହାନଗରର ସ୍ଥାପତ୍ୟ ଓ ବିସ୍ତାରର ପରିବର୍ତ୍ତନ ସ୍ପଷ୍ଟ ଦେଖିହେବ। ଏଥିପାଇଁ ବ୍ୟାପକ ଗବେଷଣା ଓ ପରିଶ୍ରମ କରାଯାଇଛି ଯେଉଁଠି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଉତ୍ସ ବା ସମ୍ବଳ, ପ୍ରତ୍ନତାତ୍ତ୍ୱିକ ଅନୁଷ୍ଠାନ, ସ୍ଥାନୀୟ ଫଟୋ ଷ୍ଟୁଡିଓ ସମେତ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କୁ ସ୍ବତଃପ୍ରବୃତ୍ତ ଏଥିରେ ସହଯୋଗ କରିବାକୁ ଆହ୍ବାନ ବା ପ୍ରୋତ୍ସାହନ ସାମିଲ ରହିଛି। ଏହାରି ଫଳରେ ଶହ ଶହ ଏଭଳି ବିରଳ ଫଟୋ ସଂଗ୍ରହ ହୋଇପାରିଛି ଯାହା ଉକ୍ତ ପ୍ରଦର୍ଶନୀରେ ଦେଖିବାକୁ ମିଳିବ।
ଏହାବାଦେ ଏହି ଇଭେଣ୍ଟ୍ରେ ଦେଖିବାକୁ ମିଳିବ ବଲିଉଡ୍ ତଡକା ଯେଉଁଥିରେ ଅନେକ ନାଁ କରା ତାରକା, ନୃତ୍ୟାଙ୍ଗନା, ଗାୟକ ଗାୟିକାଙ୍କୁ ଦେଖି ଶୁଣିବାକୁ ପାଇବେ ଦର୍ଶକ। ଏମାନଙ୍କ ମଧ୍ୟରେ ରହିଛନ୍ତି ଗାୟକ ପିତା ପୁତ୍ର ଯୋଡ଼ି ଉଦିତ୍ ନାରାୟଣ- ଆଦିତ୍ୟ ନାରାୟଣ, ଅଳକା ୟାଗନିକ, ଅମିତ୍ ତ୍ରିବେଦୀ, ଶିଳ୍ପା ରାଓ, ଗୁରୁ ରାନ୍ଧଓ୍ବା, ନୀତି ମୋହନ, ହର୍ଷଦୀପ କୌର, ସିଆମକ୍ ଡାଭର୍ଙ୍କ ଭଳି ଅନେକ ବିଶିଷ୍ଟ କଳାକାର। ଏହାକୁ ବାଦ୍ ଦେଇ ଆୟୋଜିତ ହେବ 'ଏକାମ୍ର ଚାଲି' ଯାହା ଏହି ସହରର ପୁରାତନ ନାମ ଅନୁସାରେ ନାମିତ ହୋଇଛି ଯେଉଁଠି ପ୍ରକୃତି, ଖାଦ୍ୟ, ମ୍ୟୁଜିୟମ୍ର ଝଲକ ଦେଖିବାକୁ ମିଳିବ। ଏହାର ଦର ମାତ୍ର ୫୦ରୁ ୨୫୦ ଟଙ୍କା ମଧ୍ୟରେ ରଖାଯାଇଛି।
ମହାନଗରର ଏହି ବିଶାଳ ଓ ଭବ୍ୟ ସାଂସ୍କୃତିକ ମହୋତ୍ସବ ବାବଦରେ ବିଡିଏ ଉପାଧ୍ୟକ୍ଷ ବଳୱନ୍ତ ସିଂହ କହନ୍ତି ଆମେ ବିବିଧ କାର୍ଯ୍ୟକ୍ରମର ଏକ ଲମ୍ବା ସମାଗମ କରିଛୁ ଯେଉଁଥିରେ ସିଧା ପ୍ରଦର୍ଶନ, ଖାଦ୍ୟର ଆସର, ଷ୍ଟୋରୀ ଟେଲିଂ ଆଦି ଅନ୍ତର୍ଭୁକ୍ତ ଏବଂ ଆମେ ଉତ୍ସାହିତ ଅଛୁ ଯେ, ପର୍ଯ୍ୟଟକଙ୍କୁ ଆତ୍ମୀୟତାଭରା ପରିବେଶରେ ମଜାମଜଲିସ୍ର ସୁଯୋଗ ସହ ଏକ ସ୍ମରଣୀୟ ଅନୁଭୂତି ପ୍ରଦାନ କରିବାରେ ସମର୍ଥ ହେବୁ।
ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ସରକାର ପୁରୁଷ ଓ ମହିଳା ହକି ସମେତ ଦେଶର କିଛି କ୍ରୀଡ଼ାକୁ ସମର୍ଥନ ଯୋଗାଇବା ସହ ତାହାର ପ୍ରତିଯୋଗିତା ଆୟୋଜନ କରି ଆସୁଛି । 'ଭାରତର କ୍ରୀଡ଼ା ରାଜଧାନୀ' ଭାବେ ସୁପରିଚିତ ହେବାରେ ଲାଗିଥିବା ଓଡ଼ିଶାର କ୍ରୀଡ଼ା ବଜେଟ୍ ଗତ ଆର୍ଥିକ ବର୍ଷର ବ୍ୟୟ ଅଟକଳ ୪୦୫ କୋଟିରୁ ଚଳିତ ଆର୍ଥିକ ବର୍ଷ ପାଇଁ ୯୧୧ କୋଟିକୁ ବୃଦ୍ଧି କରାଯାଇଛି। ଏହି ବଜେଟ୍ ଜରିଆରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ, ପ୍ରଶିକ୍ଷଣ ସାଙ୍ଗକୁ ପ୍ରତିବର୍ଷ ଜାତୀୟ କ୍ଷେତ୍ରରେ ତୃଣମୂଳସ୍ତରରୁ ବିଭିନ୍ନ ଖେଳକୁଦକୁ ପ୍ରୋତ୍ସାହିତ କରି ଆସୁଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍କୁ ସମର୍ଥନ କରାଯାଇ ଆସୁଛି।
୨୦୧୮ରେ ଓଡ଼ିଶା ଯେତେବେଳେ ଏଫ୍ଆଇଏଚ୍ ହକି ବିଶ୍ୱକପ୍ ପ୍ରଥମ ଥର ଆୟୋଜନ କରିଥିଲା ସେତେବେଳେ ଏକ ଆକଳନ ମୁତାବକ ରାଜ୍ୟକୁ ୬୦ ପ୍ରତିଶତ ଅଧିକ ପର୍ଯ୍ୟଟକଙ୍କ ଆଗମନ ଘଟିଥିଲା। ସେତେବେଳେ ପ୍ରାୟ ପ୍ରାୟ ସମସ୍ତ ହୋଟେଲ୍ ଭରପୁର ରହିଥିଲା ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ଏକ ମୋଟାମୋଟି ଆକଳନ ମୁତାବକ ରାଜ୍ୟକୁ ୨୦୧୮ ନଭେମ୍ବର ଓ ଡିସେମ୍ବର ମାସରେ ପ୍ରାୟ ୧.୬୧ ମିଲିଅନ୍ ଓ ୨.୨୨ ମିଲିଅନ୍ ପର୍ଯ୍ୟଟକଙ୍କ ଆଗମନ ଘଟିଥିଲା। ସେହିପରି ବିଦେଶୀ ଆଗନ୍ତୁକଙ୍କ ସଂଖ୍ୟାରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ଘଟିଥିଲା ।

ସରକାରୀ ସୂତ୍ରରୁ ପ୍ରକାଶ ଯେ, ସେହି ସମୟରୁ ବର୍ତ୍ତମାନ ମଧ୍ୟରେ ରାଜ୍ୟର କ୍ରୀଡ଼ା ସଂସ୍କୃତିରେ ବ୍ୟାପକ ପରିବର୍ତ୍ତନ ଘଟି ସାରିଛି। ଏଥିରେ କେବଳ ହକି ନୁହେଁ, ଏଥିସହ ଫୁଟବଲ୍, ସୁଟିଂ, ବ୍ୟାଡ୍ମିଣ୍ଟନ୍ ଆଦି ଅନ୍ୟାନ୍ୟ କ୍ରୀଡ଼ା ପ୍ରତି ମଧ୍ୟ ଯଥେଷ୍ଟ ଗୁରୁତ୍ଵ ଦିଆଯାଉଛି। ଆସନ୍ତା ବର୍ଷମାନଙ୍କରେ ଆହୁରି ଅନେକ କ୍ରୀଡ଼ା ପ୍ରତିଷ୍ଠାନ ରାଜ୍ୟରେ ଖୋଲିବାର ଆଶା କରାଯାଉଛି। ଉଦାହରଣ ସ୍ୱରୂପ ଡାଲମିଆ ଭାରତ ଗୋପୀଚାନ୍ଦ ଓଡ଼ିଶା ବ୍ୟାଡ୍ମିଣ୍ଟନ୍ ଏକାଡେମୀ ଚଳିତବର୍ଷ ଭୁବନେଶ୍ୱରରେ ବିଧିବଦ୍ଧ ଆରମ୍ଭ ହେବାର ଆଶା ରହିଛି । ଗତ ୨ରୁ ୩ ବର୍ଷ ମଧ୍ୟରେ ନାଭାଲ୍ ଟାଟା ହକି ଏକାଡେମୀ, ଅଭିନବ ବିନ୍ଦ୍ରା ଟାର୍ଗେଟିଂ ପରଫର୍ମାନ୍ସ ସେଣ୍ଟର୍ ଆଦି ଖୋଲି ସାରିଛି। ଏତଦ୍ବ୍ୟତୀତ ଅନ୍ୟ ହକି ଗ୍ରାମ ଓ କ୍ରୀଡ଼ା ଅନୁଷ୍ଠାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇ ସାରିଛି। କରୋନା ମହାମାରୀ ଓ ଫନି ମହାବାତ୍ୟାଜନିତ କ୍ଷୟକ୍ଷତି ପରେ ପ୍ରଥମ କରି ହକି ବିଶ୍ୱକପ୍ ଓ ଫେଷ୍ଟ ଆୟୋଜିତ ହେଉଥିବାରୁ ଏହା ବିପର୍ଯ୍ୟୟ ବା କଷ୍ଟକର ପରିସ୍ଥିତିରୁ ଶୀଘ୍ର ନିଜକୁ ସୁଧାରିବାର ଓଡ଼ିଶାର ଅଦମ୍ୟ ଓ ଅତୁଟ ଇଚ୍ଛାଶକ୍ତି ପ୍ରତି ଏକ ସମ୍ମାନ ସଦୃଶ ହେବ।
ହକି ବିଶ୍ୱକପ୍ ୨୦୨୩ର ଆକର୍ଷଣ -ମ୍ୟାଚ୍ ଗୁଡ଼ିକର ସିଧା ପ୍ରସାରଣ ଷ୍ଟାର୍ ସ୍ପୋର୍ଟସ୍, ଷ୍ଟାର୍ ସ୍ପୋର୍ଟସ ସିଲେକ୍ଟ ୨ ଓ ଷ୍ଟାର୍ ସ୍ପୋର୍ଟସ ସିଲେକ୍ଟ ୨ ଏଚ୍ଡି ଟିଭି ଚ୍ୟାନେଲ୍ରେ କରାଯିବ। ଡିଜ୍ନୀ ପ୍ଲସ୍ ହଟ୍ ଷ୍ଟାର୍ ଆପ୍ରେ ଲାଇଭ୍ ଷ୍ଟ୍ରିମିଂ ହେଉଛି । ଓଡ଼ିଆ ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟ ଚଳିତ ସପ୍ତାହରେ ନିଜ ପର୍ବତାରୋହଣ ଅଭିଯାନ ଅନ୍ତର୍ଗତ ଆଣ୍ଟାର୍କଟିକାର ସର୍ବୋଚ୍ଚ ପର୍ବତ ଶିଖର ମାଉଣ୍ଟ୍ ଭିନ୍ସନ୍ ଶୃଙ୍ଗ ଠାରେ ହକି ବିଶ୍ଵକପ୍ ବ୍ୟାନର୍ ସହ ନଜରକୁ ଆସିବେ । ସେହିପରି ଯଦି ଭାରତୀୟ ଦଳ ଚାମ୍ପିଅନ୍ ଟ୍ରଫି ହାସଲ କରେ ତେବେ ପ୍ରତିଟି ଖେଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ କୋଟି ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି ।












Click it and Unblock the Notifications