ଆସନ୍ତା ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ଐତିହାସିକ ବାଲିଯାତ୍ରା କଟକ-୨୦୨୫
ଐତିହାସିକ ବାଲିଯାତ୍ରା କଟକ-୨୦୨୫ ଆସନ୍ତା ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆବଣ୍ଟିତ ହେବାକୁ ଥିବା ପ୍ଲଟ ନିଲାମ ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିୟମ ଓ ସର୍ତ୍ତାବଳୀ ଲାଗୁ କରାଯାଇଛି। ଅତିରିକ୍ତ ଜିଲାପାଳ (ରାଜସ୍ବ) ତଥା ବାଲିଯାତ୍ରା ପ୍ଲଟ ଆବଣ୍ଟନ କମିଟି ଅଧ୍ୟକ୍ଷ ଡ. ଦିବ୍ୟଲୋଚନ ମହାନ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଗୁରୁବାର ପ୍ରେସ୍ ବିବୃତିରେ ଏହି ସମ୍ବନ୍ଧୀୟ ସମସ୍ତ ସୂଚନା ଦେଇଛନ୍ତି ।
ସୂଚନା ମୁତାବକ ପ୍ଲଟ ଆବଣ୍ଟନ ନିମନ୍ତେ ପଞ୍ଜୀକରଣ କାର୍ଯ୍ୟ ୨୬ ତାରିଖ (ଶୁକ୍ରବାର)ରୁ ଆରମ୍ଭ ହୋଇ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ହାଇବ୍ରିଡ ମୋଡ୍ (ଉଭୟ ଅନ୍ଲାଇନ ଓ ଅଫଲାଇନ୍) ଜରିଆରେ ଆବେଦନ କରାଯିବାକୁ ସ୍ଥିର ହୋଇଛି ।
ଆବେଦନକାରୀ ପଞ୍ଜୀକରଣ ନିମନ୍ତେ ଆବେଦନପତ୍ର ସହିତ ବାରବାଟୀ ଷ୍ଟାଡିୟମ ସନ୍ନିକଟ ବାରବାଟୀ ପ୍ୟାଲେସଠାରେ ସରକାରୀ ଛୁଟିଦିନ ବ୍ୟତୀତ ନିର୍ଦ୍ଦିଷ୍ଟ ତାରିଖ ମଧ୍ୟରେ ଦୈନିକ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୫ଟା ମଧ୍ୟରେ ଦାଖଲ କରିପାରିବେ ଓ ପଞ୍ଜୀକରଣ ପତ୍ର ଗ୍ରହଣ କରିପାରିବେ। ଚଳିତବର୍ଷ ନିଲାମ ପ୍ରକ୍ରିୟା ସର୍ବନିମ୍ନ ୪୦ ଟଙ୍କା, ୫୦ ଟଙ୍କା ଓ ୬୦ ଟଙ୍କା ରଖାଯାଇ ଅକ୍ଟୋବର ୧୩ରୁ ଆରମ୍ଭ କରାଯିବ ବୋଲି ଅତିରିକ୍ତ ଜିଲାପାଳ ଡ. ମହାନ୍ତ ସୂଚନା ଦେଇଛନ୍ତି । ଏତଦବ୍ୟତୀତ ଛୋଟ ଛୋଟ ବ୍ୟବସାୟୀମାନଙ୍କୁ ୮୦ ବର୍ଗଫୁଟ ପର୍ଯ୍ୟନ୍ତ ଜାଗା ୧୫୦୦ ଟଙ୍କା ହିସାବରେ ଯୋଗାଇ ଦିଆଯିବାକୁ ସ୍ଥିର କରାଯାଇଥିବା ସେ କହିଛନ୍ତି ।

କଟକ ସଦର ଉପଜିଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, କଟକ ସଦର ତହସିଲଦାର ଦେବଦତ୍ତ ପ୍ରଧାନ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ଡେପୁଟି କଲେକ୍ଟର ପ୍ରଜ୍ଞା ପାରମିତା ଥାଟୋଇ ଓ ଜିଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଐତିହାସିକ କଟକ ବାଲିଯାତ୍ରା ପ୍ଲଟ ଆବଣ୍ଟନ ନିଲାମ ମାଧ୍ୟମରେ କରାଯିବ । ସୋମବାରଠାରୁ ଏହା ଆରମ୍ଭ ହୋଇ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ଏପରିକି ୧୦୦ ଟଙ୍କାରେ ଆବେଦନପତ୍ର ମିଳିବ ବୋଲି ଜଣାପଡିଛି ।
ଲୋକେ ବାରବାଟୀ ପ୍ୟାଲେସରୁ ଆବେଦନପତ୍ର ସଂଗ୍ରହ ଏବଂ ଦାଖଲ କରିପାରିବେ । ଆବେଦନପତ୍ର ଜଣେ ବ୍ୟକ୍ତି/ଅନୁଷ୍ଠାନ ସର୍ବାଧିକ ୩ଟି ପ୍ଲଟ ପାଇଁ ଆବେଦନ କରିପାରିବେ। ପ୍ଲଟ ପିଛା ପ୍ରାରମ୍ଭିକ ପଞ୍ଜୀକରଣ ରାଶି ୫ ହଜାର ଟଙ୍କା ରହିଛି । ଗୋଟିଏ ପ୍ଲଟ ପାଇଁ ଏକାଧିକ ଆବେଦନ ଥିଲେ ନିଲାମ ହେବ ବୋଲି ବଡ଼ ସୂଚନା ମିଳିଛି ।












Click it and Unblock the Notifications