ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ: ‘ସି-ବକ୍ସ’ ପୋର୍ଟାଲରେ ରହିବ କଲେଜର ଆଇସିସି, ପହିଲା ସୁଦ୍ଧା ତଥ୍ୟ
ଉଚ୍ଚଶିକ୍ଷା ବିଭାଗ ଅଧୀନ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ତଥ୍ୟ ଗୋଟିଏ ପୋର୍ଟାଲରେ ରହିବ । ଏନେଇ ସମସ୍ତ ମହାବିଦ୍ୟାଳୟକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଉଚ୍ଚଶିକ୍ଷା ବିଭାଗ ଅଧୀନ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଏ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ବିଭାଗର ଯୁଗ୍ମ ସଚିବ ମୌସୁମୀ ନାୟକଙ୍କ ଏନେଇ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ।
ଚିଠିରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ 'ସି-ବକ୍ସ' ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ଏହି ପୋର୍ଟାଲରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମହିଳାମାନଙ୍କ କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯ୍ୟାତନ (ନିବାରଣ, ନିଷେଧ ଓ ପ୍ରତିକାର) ଆଇନ, ୨୦୧୩ ଅନୁସାରେ ଏକ ଉନ୍ନତ ସଂସ୍କରଣର 'ସି-ବକ୍ସ' ପୋର୍ଟାଲ ପ୍ରସ୍ତୁତ କରାଯାଇଛି ।

ଏହି ପୋର୍ଟାଲରେ ଅନ୍ତର୍ନିହିତ କମିଟି (ଆଇସିସି) ଏବଂ ସ୍ଥାନୀୟ କମିଟିର ବିବରଣୀ ତଥା ଏହି ଆଇନ ଅଧୀନରେ ପ୍ରାପ୍ତ ଓ ନିଷ୍ପତ୍ତି ହୋଇଥିବା ଅଭିଯୋଗଗୁଡ଼ିକର ତଥ୍ୟ ପ୍ରଦର୍ଶିତ ହେବ । ଏହି ପୋର୍ଟାଲରେ ବିଭାଗୀୟ ସ୍ତର ଏବଂ କାର୍ଯ୍ୟାଳୟ ସ୍ତରରେ ଅନ୍ତର୍ନିହିତ କମିଟି (ଆଇସିସି)ର ବିବରଣୀ ଅପଲୋଡ଼ କରିବା ବାଧ୍ୟତାମୂଳକ ।
ଏହି କାର୍ଯ୍ୟ ପାଇଁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକମାନଙ୍କୁ ସେମାନଙ୍କ ନିଜ ନିଜ ଅଞ୍ଚଳ ପାଇଁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି । ଏହି ନୋଡାଲ ଅଫିସରମାନଙ୍କର ବିବରଣୀ ସି-ବକ୍ସ ପୋର୍ଟାଲରେ ଅପଲୋଡ଼ କରାଯାଇଛି । ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି କର୍ମକ୍ଷେତ୍ର ଯାଏଁ ସବୁଠି ମହିଳାମାନେ ନିର୍ଯ୍ୟାତିତ ହେଉଛନ୍ତି । ମହିଳାଙ୍କୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ ନିଜ ଅଧିକାର ଅଧୀନରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକର ଅନ୍ତର୍ନିହିତ କମିଟିର ବିବରଣୀ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ତଥ୍ୟ ୧ ଅଗଷ୍ଟ ୨୦୨୫ ସୁଦ୍ଧା ସି-ବକ୍ସ ଅପଲୋଡ଼ କରିବେ ।












Click it and Unblock the Notifications