ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲା: ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । ରାଜ୍ୟ ସଡକ ପରିବହନ ବିଭାଗକୁ ସତ୍ୟପାଠ ଦାଖଲ କରିବାକୁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
କଟକ: ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । ରାଜ୍ୟ ସଡକ ପରିବହନ ବିଭାଗକୁ ସତ୍ୟପାଠ ଦାଖଲ କରିବାକୁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ବର ଶେଷ ଯାଏଁ ସ୍ଲଟ ଉପଲବ୍ଧ ଅଛି କି ନାହିଁ ତା ଉପରେ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏସବୁ ଉପରେ ସତ୍ୟପାଠ ଦାଖଲ କରିବାକୁ କୁହାଯାଇଛି । ତେବେ ଆସନ୍ତା ଅକ୍ଟୋବର ୩୧ ମାମଲାର ପରବର୍ତି ଶୁଣାଣି ହେବ ।

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ସ୍ଲଟ ବୁକିଂ କରିବା ପରେ ଲୋକମାନେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡିସେମ୍ବର ମାସ ଯାଏ ସ୍ଲଟ ନଥିବା ବେଳେ ଭିତ୍ତିଭୂମିର ମଧ୍ୟ ଅଭାବ ଦେଖାଯାଇଛି। ନମ୍ବର ଲଗାଇବାକୁ ଘଣ୍ଟା ଘଣ୍ଟା ଧରି ଲୋକମାନେ ବିଭିନ୍ନ ଶୋ' ରୁମ ବାହାରେ ଅପେକ୍ଷା କରୁଛନ୍ତି। ଏହି ସବୁ ସମସ୍ୟାର ସମାଧାନ ପାଇଁ କିଛି ଲୋକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ପୂର୍ବ ଶୁଶାଣିରେ ହାଇକୋର୍ଟ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଅବଧିକୁ ବୃଦ୍ଧି କରିଥିଲେ। ଅକ୍ଟୋବର ୩୧ରୁ ପୁଣି ଚେକିଂ ଆରମ୍ଭ ହେଉଥିବାରୁ ସ୍ଥିତିବସ୍ଥା ଜାଣିବାକୁ ଚାହିଁଛନ୍ତି ହାଇକୋର୍ଟ।
ସୂଚନାଯୋଗ୍ୟ, ଯେଉଁମାନଙ୍କ ଗାଡ଼ିର ନମ୍ବରର ଶେଷ ଅଙ୍କ ୧,୨,୩ ଓ ୪ ଥିବ ସେମାନଙ୍କ ପାଇଁ ହାଇସିକ୍ୟୁରିଟି ପ୍ଲେଟ୍ ଲଗାଇବାର ସମୟସୀମା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ସେହିପରି ଯେଉଁମାନଙ୍କ ଗାଡ଼ି ନମ୍ବରର ଶେଷ ଅଙ୍କ ୫ ଓ ୬ ରହିଛି, ସେମାନଙ୍କ ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାର ସମୟସୀମା ୩୦ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଶେଷ ଅଙ୍କ ୭ ଓ ୮ ଥିବା ଗାଡ଼ିଗୁଡ଼ିକରେ ପ୍ଲେଟ୍ ଲଗାଇବା ପାଇଁ ଶେଷ ତାରିଖ ଡିସେମ୍ବର ୩୧ ରଖାଯାଇଛି। ଯେଉଁ ଗାଡ଼ି ଗୁଡ଼ିକର ନମ୍ବରର ଶେଷ ଅଙ୍କ ୯ ଓ ୦ ଥିବ, ସେଗୁଡ଼ିକରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ପାଇଁ ସମୟସୀମାକୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି ।












Click it and Unblock the Notifications