ଖରାଦିନିଆ ବାତ୍ୟା ପାଇଁ ଉଚ୍ଚସ୍ତରୀୟ ବୈଠକ, ଆଗୁଆ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ଦକ୍ଷିଣ ବଙ୍ଗପୋସାଗରରେ ଏକ ଲଘୁଚାପ ଓ ପରବର୍ତ୍ତୀ ସମୟରେ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ । ତେବେ ପ୍ରଶାସନକୁ ଆଗୁଆ ପ୍ରସ୍ତୁତ ରହିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଗ୍ରୀଷ୍ମ ଋତୁରେ ଯେଉଁ ବାତ୍ୟା ଆସେ, ତାର ଆକଳନ ବହୁତ ଜଟିଳ । ୨୦୧୯ରେ ଫନି ବାତ୍ୟା ମଧ୍ୟ ଏହିପରି ଅଚାନକ ଆସି ବ୍ୟାପକ କ୍ଷୟକ୍ଷତି କରିଥିଲା । ଆମ ପାଇଁ ସବୁ ଜୀବନ ମୂଲ୍ୟବାନ । ତେଣୁ ଏଥିରେ କୌଣସି ବିଳମ୍ବ ନ କରି ଆମକୁ ଆଗୁଆ ପ୍ରସ୍ତୁତ ରହିବାକୁ ପଡିବ ।

ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସହିତ NDRF, ODRAF ଓ ଅଗ୍ନିଶମ ସେବା ଆଦି ଆଗୁଆ ରହିବାକୁ ସେ ପରାମର୍ଶ ଦେବା ସହିତ ଆବଶ୍ୟକ ସହିତ ଉପକୂଳ ଓ ତଳୁଆ ଅଞ୍ଚଳରୁ ଅସୁରକ୍ଷିତ ସ୍ଥାନରେ ଥିବା ସବୁ ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳରେ ସୁରକ୍ଷିତ ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସବୁ ଅତ୍ୟାବଶ୍ୟକ ମେସିନ୍ ଓ ଯନ୍ତ୍ରପାତିକୁ ପ୍ରସ୍ତୁତ ରଖିବାକୁ ସେ କହିଥିଲେ। ବାତ୍ୟା ପରେ ମଧ୍ୟ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟକ୍ରମ ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ ।
ମୁଖ୍ୟ ଶାସନ ସଚିବ ବାତ୍ୟା ସଂପର୍କରେ ନିୟମିତ ସମୀକ୍ଷା କରିବା ସହିତ ସ୍ବତନ୍ତ୍ର ରିଲିଫ କମିଶନର ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖି ସମସ୍ତ ବିଭାଗ ସହିତ ସମନ୍ବୟ ରଖି କାମ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, ସବୁ ବାତ୍ୟା ମଧ୍ୟରେ ଗ୍ରୀଷ୍ମ ଋତୁର ବାତ୍ୟାର ପ୍ରଭାବ ବହୁତ ବେଶି ହୋଇଥାଏ । ଗତ କିଛି ବର୍ଷ ଧରି ଆମେ ରାଜ୍ୟରେ ଜିରୋ କାଜୁଆଲ୍ଟି ନୀତି ଅବଲମ୍ବନ କରି ସଫଳତା ପାଇଛୁ । ଏ କ୍ଷେତ୍ରରେ ମଧ୍ୟ ଆମର ନିୟମିତ ସମୀକ୍ଷା ଜାରି ରହିଛି ଏବଂ ସବୁ ସଂପୃକ୍ତ ବିଭାଗ ମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ ମାନଙ୍କୁ ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛ । ପ୍ରାୟ ୧୦୦୦ଟି ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ଅଛି ଏବଂ ଅନ୍ୟାନ୍ୟ ସ୍କୁଲ ଓ ସୁରକ୍ଷିତ ଆଶ୍ରୟସ୍ଥଳକୁ ଚିହ୍ନଟ କରାଯାଇଛି।
ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ କହିଛନ୍ତି, ୧୮ଟି ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇ କଣ୍ଟ୍ରୋଲ ରୁମ୍ ପ୍ରସ୍ତୁତ କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳ ଗୁଡିକୁ କାର୍ଯ୍ୟକ୍ଷମ କରାଯାଉଛି। ୧୭ଟି NDRF ଓ ୨୦ଟି ODRAF ଟିମ୍କୁ ପ୍ରସ୍ତୁତ ରଖାଯାଇଛି । ସେହିପରି ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂସଲ, ଉନ୍ନୟନ କମିଶନର (ଜଳସଂପଦ) ଅନୁ ଗର୍ଗ, ଗ୍ରାମ୍ୟ ଉନ୍ନୟନ ଓ ଶକ୍ତି ବିଭାଗ ସଂଜୟ ସିଂ, କୃଷି ବିଭାଗ ସଚିବ ଅରବିନ୍ଦ ପାଢୀ ପ୍ରମୁଖ ନିଜ ନିଜ ବିଭାଗର ପ୍ରସ୍ତୁତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି ।












Click it and Unblock the Notifications