ନିଆରା ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ; କରିବେ ହସ୍ପିଟାଲ ସଫେଇ, 100 ଗଛ ଲଗାଇବେ ଅଭିଯୁକ୍ତ
ଜଣେ ଅଭିଯୁକ୍ତକୁ ଜାମିନରେ ଛାଡିବା ପାଇଁ ଏକ ନିଆରା ସର୍ତ୍ତ ରଖିଛନ୍ତି ଓଡିଶା ହାଇକୋର୍ଟ । ହସ୍ପିଟାଲ ରୁମ୍ ଓ ୱାର୍ଡ, ଏକ ମାସ ସଫେଇ କରିବା ଭଳି ନିଆରା ସର୍ତ୍ତ ରଖିଛନ୍ତି କୋର୍ଟ ।
ଜାମିନରେ ଛାଡ଼ ପାଇବା ପରେ ଆବେଦନକାରୀ ଏକ ମାସ କ୍ୟାପିଟାଲ ହସ୍ପିଟାଲର ରୁମ୍ ଓ ୱାର୍ଡ ସଫା କରିବେ ବୋଲି ଅଦାଲତ ରାୟରେ ସ୍ପଷ୍ଟ କରିଛନ୍ତି । ଏକ ମାସ ହସ୍ପିଟାଲର ରୁମ୍ ଓ ୱାର୍ଡ ସଫେଇ ପାଇଁ ସୁଯୋଗ ଦେବା ପାଇଁ କର୍ମଚାରୀଙ୍କୁ, ଅଧୀକ୍ଷକ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବା ପାଇଁ ଆବେଦନକାରୀ ଅନୁରୋଧ କରିବେ ।
ଏଥିସହିତ ଡୁମ୍ଡୁମା ଅଞ୍ଚଳରେ ଶହେ ଆମ୍ବ, ନିମ, ତେନ୍ତୁଳି ଭଳି ଗଛ ଆବେଦନକାରୀ ଲଗାଇବେ । ଆଗାମୀ ମୌସୁମୀରେ ଆବେଦନକାରୀ ଏହି ଗଛ ଡୁମଡୁମା ଅଞ୍ଚଳର ସରକାରୀ ଜମି କିମ୍ବା ଗୋଷ୍ଠୀ ବା ଘରୋଇ ଜମିରେ ଲଗାଇବେ । ଯଦି ଜମି ଉପଲବ୍ଧ ନ ହୁଏ ତେବେ ଚାରା ରୋପଣ ପାଇଁ ଆବଶ୍ୟକ ଜମି ଚିହ୍ନଟ ପ୍ରସଙ୍ଗରେ ରାଜସ୍ବ କର୍ତ୍ତୃପକ୍ଷ ସହାୟତା କରିବେ । ଜିଲ୍ଲା ନର୍ସରୀ ନଚେତ ଡିଏଫଓ ଚାରା ଯୋଗାଇବା ପ୍ରସଂଗରେ ସହଯୋଗ କରିବେ । ଆବେଦନକାରୀ ଚାରା ରୋପଣ କରିଲେ କି ନାହିଁ ତାହା ସଂପୃକ୍ତ ଥାନା ଆଇଆଇସି ସ୍ଥାନୀୟ ବନ ବିଭାଗ ଅଧିକାରୀଙ୍କ ସହିତ ସମନ୍ବୟ ରଖି ତଦାରଖ କରିବେ ବୋଲି ହାଇକୋର୍ଟ ଏକ ଚର୍ଚ୍ଚିତ ରାୟରେ ସ୍ପଷ୍ଟ କରିଛନ୍ତି । ଅଭିଯୁକ୍ତଙ୍କ ଭିତରେ ସୁଧାର ଓ ସଂସ୍କାର ଆଣିବା ଉପରେ ଗୁରୁତ୍ବ ଦେଇଛନ୍ତି।

କ୍ୟାପିଟାଲ ହସ୍ପିଟାଲ ସଫା ସହ ଗଛ ଲଗାଇବେ ଅଭିଯୁକ୍ତ
ଅଭିଯୁକ୍ତଙ୍କୁ ଜାମିନ ବଦଳରେ ଏଭଳି ସର୍ତ୍ତ ରଖିଛନ୍ତି ଓଡ଼ିଶା ହାଇକୋର୍ଟ
ଜଣେ ଅଭିଯୁକ୍ତଙ୍କୁ ଏଭଳି ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ
ଅଭିଯୁକ୍ତଙ୍କ ଭିତରେ ସୁଧାର ଓ ସଂସ୍କାର ଆଣିବା ଉପରେ ଗୁରୁତ୍ୱ
ଜେଲରେ ଥିବା ଜଣେ ଅଭିଯୁକ୍ତଙ୍କୁ ହାଇକୋର୍ଟ ଜାମିନରେ ଛାଡ଼ିବାକୁ ଏପରି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଆବେଦନକାରୀ ଏହି ମାମଲାର ପ୍ରତି ତାରିଖରେ ନିମ୍ନ ଅଦାଲତରେ ହାଜର ହେବେ। ଜାମିନରେ ଥିବା ବେଳେ କୌଣସି ଅପରାଧିକ ମାମଲାରେ ସଂପୃକ୍ତ ହେବେ ନାହିଁ ବୋଲି ହାଇକୋର୍ଟ ସର୍ତ୍ତ ରଖିଛନ୍ତି । ଯଦି ଜାମିନ ସର୍ତ୍ତ ଉଲ୍ଲଂଘନ କରନ୍ତି ତେବେ ଆବେଦନକାରୀଙ୍କ ଜାମିନ ଖାରଜ ହେବ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବି.ଆର. ଦାସଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ଜଣେ ବ୍ୟକ୍ତିଙ୍କ ଏତଲା ଆଧାରରେ ଜଟଣୀ ଇନଫୋଭ୍ୟାଲି ଥାନା ପୁଲିସ ବିଏନଏସର ଧାରା ୩୦୯(୪)/୩(୫)ରେ ମାମଲା ରୁଜୁ କରିବା ସହିତ ଆବେଦନକାରୀଙ୍କୁ ଗତ ଜାନୁଆରି ୨୭ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଅଭିଯୁକ୍ତ ଜଣକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।ତେବେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଏକ ନିଆରା ସର୍ତ୍ତ ରଖିଛନ୍ତି।












Click it and Unblock the Notifications