ହାଇଟେକ୍ ହାଇଡ୍ରାମା; ନିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ଭୁବନେଶ୍ୱର ହାଇଟେକ୍ ମେଡ଼ିକାଲ ବିସ୍ଫୋରଣ ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ତୃତୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ୍ୟୁ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।
ଗୁରୁତର ଥିବା ଦିଲ୍ଲୀପ ସାମନ୍ତରାୟ ମୃତ୍ୟୁ ମୁଖରେ ପଡିଛନ୍ତି । ଭୋର ୩ଟାରୁ ୩ଟା ୩୦ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପରିବାର ଲୋକଙ୍କୁ ଏ ନେଇ ଅବଗତ କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ମଞ୍ଚେଶ୍ୱର ଥାନା ପୋଲିସ ତଦନ୍ତ କରୁଛି । ହାଇଟେକ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧ ପାଇଛି । ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
ଚିକିତ୍ସାଧୀନ ଥିଲା ଅବସ୍ଥାରେ ବ୍ୟକ୍ତି ଜଣଙ୍କ ନିଜକୁ ଦିଲ୍ଲୀପ ସାମନ୍ତରାୟ କହୁଥିଲେ ହେଲେ ମେଡ଼ିକାଲ କର୍ତ୍ତୃପକ୍ଷ କହିଥିଲେ DNA ଟେଷ୍ଟ ରିପୋର୍ଟ ଆସିବା ପରେ ସତ ପଦାକୁ ଆସିବ । ତେବେ ମୃତକଙ୍କ ପରିଚୟକୁ ନେଇ ସୃଷ୍ଟି ହୋଇଛି ବିରାଟ ଦ୍ୱନ୍ଦ୍ୱ ।

ଜଟଣି ବଅଙ୍ଗ ଗାଁର ଦିଲ୍ଲୀପ ସାମନ୍ତରାୟ ୨ ବର୍ଷ ତଳେ ବିବାହ କରିଥିଲେ । ତାଙ୍କ ବିୟୋଗ ଖବର ପାଇଁ ନୂଆବର୍ଷ ଦିନ ଆତ୍ମହତ୍ୟା କରିଦେଇଥିଲେ ତାଙ୍କ ନବବିବାହିତା ପତ୍ନୀ ସୋନା ସାମନ୍ତରାୟ । ଆସନ୍ତା ଶନିବାର ଉଭୟଙ୍କ ଶୁଦ୍ଧିକ୍ରିୟା ପାଇଁ ପ୍ରସ୍ତୁତି ଚାଲିଥିଲା ଏବଂ ଦଶାହ କର୍ମପାଇଁ ଗଙ୍ଗା କାର୍ଡ ଛପା ସରିଥିଲା । ହେଲେ ଦିଲ୍ଲୀପ ଜୀବିତ ବୋଲି କହିବା ପରେ, ତାଙ୍କ ପରିବାର ଲୋକେ ଯାହାର ମୃତଦେହ ଅନ୍ତିମ ସଂସ୍କାର କଲେ, ତାହା କାହାର ବୋଲି ସନ୍ଦେହରେ ଅଛନ୍ତି ।
ମୃତଦେହ ଚିହ୍ନଟ ପ୍ରକ୍ରିୟାକୁ ନେଇ ଜ୍ୟୋତି ମଲ୍ଲିକଙ୍କ ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି । ଆମକୁ ଜ୍ୟୋତି ଦରକାର, ଜ୍ୟୋତିକୁ ତୁରନ୍ତ ଫେରାଅ ବୋଲି ପରିବାର ଲୋକ ଦାବି କରିଛନ୍ତି । ତେଣୁ ଏସବୁ ଭିତରେ ଏବେ DNA ଟେଷ୍ଟ ରିପୋର୍ଟକୁ ସମସ୍ତଙ୍କ ଅପେକ୍ଷା ରହିଛି ।
ସୂଚନା ଅନୁସାରେ, ଗତ ଡିସେମ୍ବର ୨୯ ତାରିଖ ସନ୍ଧ୍ୟାରେ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲରେ ସିଲିଣ୍ଡରର ମରାମତି କାମ ଚାଲିଥିବା ବେଳେ ଅକ୍ସିଜେନ୍ ସିଲିଣ୍ଡର ଫାଟି ଧରଣର ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୪ ଜଣ ଗୁରୁତର ଆହତ ହୋଇଥିଲେ ।












Click it and Unblock the Notifications