ବିପଦ ସଙ୍କେତ ଉପରେ ଜଳକା ନଦୀ: ବନ୍ୟା ଆଶଙ୍କା, ସତର୍କ ରହିବା ପାଇଁ ପରାମର୍ଶ
ବିପଦ ସଙ୍କେତ ଉପରେ ଜଳକା ନଦୀ । ବନ୍ୟା ଆଶଙ୍କା । ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଆଉ ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ତିନି ଦିନର ଲଗାଣ ବର୍ଷା ପରେ ଫୁଲୁଛି ଜଳକା ନଦୀ ।
ପ୍ରବଳ ବର୍ଷା ହେତୁ ଜଳକା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମଥାନୀ ଠାରେ ବିପଦ ସଂକେତ ୫.୫୦ ମିଟର ରହିଥିବା ବେଳେ ଗତକାଲି ଅପରାହ୍ନ ୩ଟା ସୁଦ୍ଧା ଜଳସ୍ତର ୬.୨୧ ମାଟିରରେ ପ୍ରବାହିତ ହେଉଥିଲା ବନ୍ୟା ପାଣି ।
ବର୍ଷା ଲାଗି ରହିଥିବାରୁ ବନ୍ୟା ଆଶଙ୍କା କରାଯାଉଛି । ନଦୀର ଜଳସ୍ତର ବୃଦ୍ଧି ପାଉଛି । ତେଣୁ ଜିଲ୍ଲାରେ ପ୍ରବାହିତ ହେଉଥିବା ବିଭିନ୍ନ ନଦୀରେ ବି ଆଗକୁ ବନ୍ୟା ଆଶଙ୍କା ଅଛି । ତଳିଆ ଅଂଚଳରେ ଲୋକଙ୍କ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ।
ବର୍ତ୍ତମାନ ଘୂର୍ଣ୍ଣିବଳୟ ଆଭ୍ୟନ୍ତରୀଣ ଓଡ଼ିଶାର ମଧ୍ୟଭାଗ ଏବଂ ପାର୍ଶ୍ଵବର୍ତ୍ତୀ ଛତିଶଗଡ ଅଞ୍ଚଳରେ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ କିଛି ଆଭ୍ୟନ୍ତରୀଣ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି ।
୭ ରୁ ୨୦ ସେମି ବର୍ଷା ହେଉଛି ।

ତେବେ ଆଜିଠାରୁ ରାଜ୍ୟରେ ବର୍ଷାର ପ୍ରଭାବ କମିବା ସମ୍ଭାବନା ଥିବାବେଳେ, ୧୨ ତାରିଖ ଠାରୁ ପୁଣି ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏ ନେଇ ସୂଚନା ଦେଇଛି ।
ସୂଚନା ଯୋଗ୍ୟ, କିଛି ଦିନ ତଳେ ଜଳକା ନଦୀ ଫୁଲିଥିବା ବେଳେ ପୁଣି ଏବେ ଫୁଲିଛି । ସେତେବେଳେ ୩୦ରୁ ଅଧିକ ଗାଁ ପ୍ରଭାବିତ ହୋଇଥିଲା । ବସ୍ତା ବ୍ଲକର ଦୁଧହଂସା, ବାହାର୍ଦ୍ଦା, କୁଡିଆ, ବାସିତକୁରାଇ, ସଦାନନ୍ଦପୁର, ବୁରଣଗଡିଆ, ବ୍ରାହ୍ମୁଣାଦା, ରାଉତପଡା, ଗଡପଦା, ଦରବା, ମୁକୁଳିସି, ମଥାନୀ, ନଟାକଟା ପଂଚାୟତ ସମେତ ବାଲେଶ୍ୱର ସଦର ବ୍ଲକର ରଶଲପୁର, ଶ୍ରୀରାମପୁର ପଂଚାୟତ ମଧ୍ୟ ଅନେକାଂଶରେ ପ୍ରଭାବିତ ହୋଇଥିଲା ।












Click it and Unblock the Notifications