ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ବଜ୍ରପାତ ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର: କାଳବୈଶାଖୀ ବର୍ଷା ଯୋଗୁଁ ଆଶିଂକ ଭାବେ ତାତିରୁ ମିଳିଛି ମୁକ୍ତି । ତେବେ ଆଜି ରାଜ୍ୟର ୧୪ ଜିଲ୍ଲାକୁ କାଳବୈଶାଖୀ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ବଜ୍ରପାତ ସମ୍ଭାବନା । ଘଡଘଡି ବିଜୁଳି ସହ ଝଡ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ୧୯ ଏବଂ ୨୦ ତାରିଖରେ ପଡିବ ବଡ ପ୍ରଭାବ ।
ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ନେଇ ୧୯ ତାରିଖରେ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ଗଞ୍ଜାମ, କନ୍ଧମାଳ, କଳହାଣ୍ଡି, ବଲାଙ୍ଗିର, ରାୟଗଡା ଏବଂ ନବରଙ୍ଗପୁର କୁ ସତର୍କତା ଜାରି କରାଯାଇଛି । ଏହି ସ ବୁ ଜିଲ୍ଲାରେ ୭୦ ରୁ ୧୧ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବା ସହ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ବହିବ ପବନ । ଏହାସହ କିଛି ସ୍ଥାନରେ କୁଆପଥର ବର୍ଷା ନେଇ ସତର୍କତା ଜାରି କରାଯାଇଛି ।
ସେହିଭଳି ୨୦ ତାରିଖରେ ୪ଟି ଜିଲ୍ଲା କଟକ, ଖୋର୍ଦ୍ଧା, ନୟାଗଡ ଏବଂ କନ୍ଧମାଳକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ତ୍ତମାନ ଉପକୂଳ ଓଡ଼ିଶା ବଙ୍ଗୋପସାଗରରେ ଏକ ଗୁରୁଚାପବଳୟ ସକ୍ରିୟ ରହିଥିବା ବେଳେ ପଶ୍ଚିମା ଝଡର ପ୍ରଭାବ ରହିଛି । ଏହି ନିୟାମକ ଅନୁସାରେ ରାଜ୍ୟରେ ପାଗ ବଦଳିବା ସହ କାଳବୈଶାଖୀ ଜନିତ ବର୍ଷା ଲାଗିରହିଛି ।

୨୧ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ । ବର୍ଷା ପ୍ରଭାବରେ ସ୍ୱାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ବର୍ଷା ହେଲେ ବି କିଛି ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ପର୍ଯ୍ୟନ୍ତ ରହିବା ସହ ଗରମ ଗୁଳୁଗୁଳି ଅନୁଭୁତ ହେବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି ।
କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ସର୍ବାଧିକ ୫୯ ମିଲିମିଟର ବର୍ଷା ରେକର୍ଡ଼ ହୋଇଥିବାବେଳେ, ବରଗଡ଼ ଗାଇସିଲେଟରେ ୫୫, ଗଞ୍ଜାମ ଜିଲ୍ଲାର ବୁଗୁଡ଼ାରେ ୫୩ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।












Click it and Unblock the Notifications