ଆଜିଠୁ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି କଲା ପାଣି ପାଗ ବିଭାଗ
ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତନଠାରୁ ବାୟୁମଣ୍ଡଳର ୧.୫ କିମିରୁ ୫.୮ କିମି ମଧ୍ୟରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପୁଣିଥରେ ସକ୍ରିୟ ହେବ । ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ସମେତ ବିଦର୍ଭ ଓ ଛତିଶଗଡ଼ର କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହେବାକୁ ପାଗ ଅନୁକୂଳ ରହିଛି । ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠୁ ୨୦ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିବ । କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।

କାଲି ସକାଳ ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଜଗତସିଂପୁର, କଟକ ଓ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପର୍ବଳ ବର୍ଷା ନେଇ କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, ନୟାଗଡ, ନବରଙ୍ଗପୁର, କନ୍ଧମାଳ, ମୟୁରଭଞ୍ଜ, କେନ୍ଦୁଢର, ସୁନ୍ଦରଗଡ, ଝାରସୁଗୁଡା, ବାଲେଶ୍ବର, ଭଦ୍ରକ, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଓ ନୂଆପଡା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଜୁଳି ଘଡଘଡି ସହ ଏସବୁ ଜିଲ୍ଲାରେ ୩୦-୪୦ କିଲୋମିଟର ବେଗରେ ପବନ ବହିପାରେ । ବର୍ଷା ପରିମାଣ ବଢିବା ଫଳରେ ଦିନ ତାପମାତ୍ରା ୨ରୁ ୩ଡିଗ୍ରୀ କମିବା ସମ୍ଭାବନା ରହିଛି ।












Click it and Unblock the Notifications