୧୨ ରୁ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ରାଜ୍ୟରେ ଏବେ ବର୍ଷା ପ୍ରକୋପ କମ୍ ଅଛି। ଆସନ୍ତା ଦୁଇଦିନ ବି ବିଶେଷ ବର୍ଷା ସମ୍ଭାବନା ନାହିଁ। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୧୨ରୁ ବର୍ଷା ବଢ଼ିପାରେ। ୧୨ରୁ ୧୪ ଯାଏ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା ଅଛି। ମୁଖ୍ୟତଃ ଦକ୍ଷିଣ ଓଡ଼ିଶାରେ ବର୍ଷା ପ୍ରକୋପ ଅଧିକ ରହିବ। ଏଭଳି ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ।

ରାଜ୍ୟରେ ଗତ କିଛିଦିନ ହେବ ବର୍ଷା କମିଯାଇଛି। ୯ ଜିଲ୍ଲାରେ ମୌସୁମୀ ବର୍ଷା ନିଅଣ୍ଟିଆ ଅଛି । ଅନ୍ୟପଟେ ଖରା ବଢ଼ିବା ସହ ତାପମାତ୍ରା ଓ ଗୁଳୁଗୁଳି ବି ଅଧିକ ରହୁଛି। ଶନିବାର ବୌଦ୍ଧ ତାପମାତ୍ରା ୩୬.୨ ଡିଗ୍ରୀ ସେଲସିୟସ୍ ଥିବାବେଳେ ଛତ୍ରପୁର ୩୫.୭, ସମ୍ବଲପୁର ୩୫.୪, ଚାନ୍ଦବାଲି ୩୫, କଟକ ୩୪.୮, ଭୁବନେଶ୍ୱର ୩୪.୬, ଭବାନୀପାଟଣା ୩୪.୬, ଭଦ୍ରକ ୩୪.୫, ଟିଟିଲାଗଡ଼ ୩୪.୫, ଗୋପାଳପୁର ୩୪ ଓ ଜଗତସିଂହପୁର ୩୪ ଡିଗ୍ରୀ ସେଲସିୟସ୍ ଥିଲା। ଦିନ ଭିତରେ କୋରାପୁଟରେ ୧୫.୨ ମିଲିମିଟର ବର୍ଷା ହୋଇଥିବାବେଳେ କାଁ ଭାଁ ହାଲୁକା ବର୍ଷା ହୋଇଛି । ଆର୍ଦ୍ରତା ପରିମାଣ ବାୟୁମଣ୍ଡଳରେ ଅଧିକ ରହୁଛି। ତଥାପି ବର୍ଷା ବିଶେଷ ହେଉନି।
ପୂର୍ବାନୁମାନ ହେଲା, ଆସନ୍ତା ଦୁଇଦିନ ରାଜ୍ୟରେ ବଡ଼ ଧରଣର ବର୍ଷା ସମ୍ଭାବନା ନାହିଁ। ଅଳ୍ପ କିଛି କିଛି ସ୍ଥାନରେ ବର୍ଷା ହୋଇପାରେ। ଆଉ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ଆସନ୍ତା ୧୩ ତାରିଖ ବେଳକୁ ଉତ୍ତର-ପଶ୍ଚିମ ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ବର୍ଷା ପରିମାଣ ୧୨ରୁ ବଢ଼ିବା ସମ୍ଭାବନା ଅଛି ।
୧୨ରୁ ୧୪ ଯାଏ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ । ୧୨ରେ ମାଲକାନଗିରି ଓ କୋରାପୁଟର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ବହୁ ସ୍ଥାନରେ ବିଜୁଳି ଘଡ଼ଘଡ଼ି ଆଶଙ୍କା ରହିଛି। ୧୩ରେ ମାଲକାନଗିରି, କୋରାପୁଟରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ଥିବାବେଳେ ରାୟଗଡ଼ା, ଗଜପତି, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ହୋଇପାରେ । ୧୪ରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ଅଛି । ୧୫ରୁ ବଡ଼ ବର୍ଷା ସମ୍ଭାବନା ନାହିଁ ।












Click it and Unblock the Notifications