ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା ; ୭ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହେଉଛି। ଏହି ଘୂର୍ଣ୍ଣିବଳୟ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ଦୁଇ ଦିନ ଭିତରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଗତି କରିବ ।
ତେବେ ଏହାରି ଭିତରେ ୧୮ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଲଘୁଚାପର ରୂପ ନେଇପାରେ । ଫଳରେ ଆସନ୍ତା କିଛି ଦିନ ବର୍ଷା ଲାଗି ରହିବ ।

ଆଜି ଓ କାଲି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାଗୁଡିକ ହେଉଛି ସୁନ୍ଦରଗଡ଼, ଝାରରସୁଗୁଡା,ବରଗଡ଼, ନୂଆପଡ଼ା, କଳାହାଣ୍ଡି, କେରାପୁଟ ଓ ନବରଙ୍ଗପୁର । ପାଣିପାଗ ବିଭାଗର ଆକଳନ ପରେ ସତର୍କ କରିଛନ୍ତି ଏସଆରସି । ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।
ବର୍ଷା ହେତୁ ଭୁବନେଶ୍ୱର ଓ କଟକରେ ନାହିଁ ନଥିବା ଅସୁବିଧା। ଡ୍ରେନେଜ୍ ସମସ୍ୟା ଯୋଗୁଁ ନର୍ଦ୍ଦମା ପାଣିରେ ଭାସୁଛି ସହର ।ଗଳି, ମୁଖ୍ୟ ରାସ୍ତା-ଡ୍ରେନ୍ ସବୁ ଏକାକାର।ନର୍ଦ୍ଦମା ପାଣି ଉଚ୍ଛୁଳି ଘରେ ଘରେ ପଶିଯାଇଛି ।
ଗତକାଲି ଭଦ୍ରକରେ ସର୍ବାଧିକ ୧୬୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଜଗତସିଂହପୁରରେ ୧୩୨ ଦଶମିକ ୬, ଝାରସୁଗୁଡାରେ ୧୨୧ ମିଲିମିଟର, ଚାନ୍ଦବାଲିରେ ୮୦ ଏବଂ ଭୁବନେଶ୍ୱରରେ ୪୬ ଦଶମିକ ୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।












Click it and Unblock the Notifications