ପାଣିପାଗ ଖବର: ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା, ଆଜି ଏହି ଜିଲ୍ଲାକୁ ଆଲର୍ଟ
ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା । ଉପାନ୍ତରୁ ଉପକୂଳ ସବୁଠି ଗତକାଲିଠୁ ପ୍ରବଳ ବର୍ଷା ହେଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ।
କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଗଞ୍ଜାମ, ବୌଦ୍ଧ, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଆଜି ପାଇଁ ୭ଟି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ
ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଏବଂ ସୁନ୍ଦରଗଡ଼ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। ଏସବୁ ଜିଲ୍ଲାରେ ୧୨ରୁ ୨୦ ସେଣ୍ଟି ମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ।
ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୁଳ, କେନ୍ଦୁଝର ଏବଂ ମୟୂରଭଂଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ କାଲିକୁ ବର୍ଷା କମିପାରେ ।
ଗତକାଲି ୮ ଟା ୩୦ରୁ ଅପରାହ୍ଣ ୫ ଟା ୩୦ ମଧ୍ୟରେ ଗୋପାଳପୁରରେ ୮୮.୬ ମିମି , ରାଉରକେଲା ୫୩, ଚାନ୍ଦବାଲିରେ ୫୧.୯ ମିମି, ଛତ୍ରପୁର ୪୪, ସମ୍ବଲପୁର ଓ କୋରାପୁଟରେ ୩୧ ମିମି ଲେଖାଏଁ ବର୍ଷା ରେକର୍ଡ କରାଯାଇଛି ।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୧ ସେପ୍ଟେମ୍ୱରରୁ ୨୦ ସେପ୍ଟେମ୍ୱର ସୁଦ୍ଧା ରାଜ୍ୟରେ ୨୫୮ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୧୭୬.୭ ମିମି ତୁଳନାରେ ୪୬ ପ୍ରତିଶତ ଅଧିକ ।
ରାଜ୍ୟରେ ବର୍ଷା ଥିଲେ ବନ୍ୟା ଆଶଙ୍କା ନ ଥିବା ଜଳସମ୍ପଦ ବିଭାଗର ସର୍ବଚ୍ଚୋ ଯନ୍ତ୍ରୀ କହିଛନ୍ତି । ହୀରାକୁଦ ଜଳସ୍ତର ବର୍ତ୍ତମାନ ହ୍ରାସ ପାଉଛି । ଏବେ ୨ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି ।












Click it and Unblock the Notifications