ଆଜିଠୁ ତିନି ଦିନ ଯାଏଁ ପ୍ରବଳ ବର୍ଷା: ୧୫ ଜିଲ୍ଲାକୁ ଆଲର୍ଟ, ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ମନା
ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର। ଗତକାଲି ସନ୍ଧ୍ୟାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତି ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ସମୁଦ୍ର ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଏହାର ପ୍ରଭାବରେ ଆଜିଠୁ ୩ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଏହାର ପ୍ରଭାବରେ ଆଜିଠୁ ୨୭ ତାରିଖ ଯାଏଁ ପ୍ରବଳ ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ । ୬ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । କଟକ, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗିର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣିଜମିବା ସମ୍ଭାବନା ରହିଛି । ତେବେ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ଏହି ସମୟରେ ୪୫ରୁ ୫୫ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ୨୫ ତାରିଖ ରୁ ୨୭ ତାରିଖ ମଧ୍ୟରେ ମତ୍ସଜିବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।
ମହାନଦୀ ଉପରମୁଣ୍ଡରେ ବଡ ବର୍ଷା ହେବାରୁ ହୀରାକୁଦର ଆଉ ୩ ଟି ଗେଟ୍ ଖୋଲିଛି । ୮ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ । ୬୧୪ ଫୁଟ ଉପରେ ରହିଛି ଜଳଭଣ୍ଡାରର ଜଳସ୍ତର ।
ଅନ୍ୟପଟେ ଚଳିତ ମୌସୁମୀ ଋତୁରେ, ୧ ଜୁନ୍ରୁ ୨୪ ଜୁଲାଇ ସୁଦ୍ଧା ରାଜ୍ୟରେ ୪୦୮ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ଵାଭାବିକ ବର୍ଷା ୪୬୬.୭ ମିମି ତୁଳନାରେ ୧୩ ପ୍ରତିଶତ କମ ରହିଛି ଯାହାକି ସ୍ୱାଭାବିକ ପରିସର ଭୁକ୍ତ । ଏହି ଅବଧି ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୬୯୬.୮ ମିମି ସହ ୪୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି ।












Click it and Unblock the Notifications