ଲ୍ୟାଣ୍ଡଫଲ କରିବନି ବାତ୍ୟା, ହେଲେ ୧୦ ସନ୍ଧ୍ୟାରୁ ହେବ ବର୍ଷା-ପବନ
ବାତ୍ୟା ପ୍ରଭାବରେ ରାଜ୍ୟରେ ୧୦ ତାରିଖରେ ବର୍ଷା ଓ ପବନ ଜାରି ରହିବ । ବଡ଼ ଧରଣର ବର୍ଷା ହେବା ସଙ୍ଗେ ସଙ୍ଗେ ଉପକୂଳରେ ପବନ ଘଣ୍ଟାପ୍ରତି ସର୍ବାଧିକ 50ରୁ 60 କିଲୋମିଟର ବେଗରେ ବହିବ ।
ଭୁବନେଶ୍ୱର: ଲ୍ୟାଣ୍ଡଫଲ୍ କରିବନି ସମ୍ଭାବ୍ୟ ବାତ୍ୟା । ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ବାତ୍ୟା ଲ୍ୟାଣ୍ଡଫଲ୍ କରିବନି ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ମାତ୍ର ଏହା ପ୍ରଭାବରେ ରାଜ୍ୟରେ ୧୦ ତାରିଖରେ ବର୍ଷା ଓ ପବନ ଜାରି ରହିବ । ବଡ଼ ଧରଣର ବର୍ଷା ହେବା ସଙ୍ଗେ ସଙ୍ଗେ ଉପକୂଳରେ ପବନ ଘଣ୍ଟାପ୍ରତି ସର୍ବାଧିକ 50ରୁ 60 କିଲୋମିଟର ବେଗରେ ବହିବ ।

ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏଥି ସହ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଓ ଉତର ଉପକୂଳ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୦ ଓ ୧୧ ତାରିଖରେ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।
ବାତ୍ୟା ଯୋଗୁଁ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଏହା ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ସେହିପରି ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀ ୮ ସୁଦ୍ଧା କୂଳକୁ ଚାଲି ଆସିବାକୁ କୁହାଯାଇଛି।
ତେବେ ଲଘୁଚାପ କ୍ଷେତ୍ର ଅବପାତର ରୂପ ନେଇସାରିଛି । ଏହା ଏବେ ପୁରୀରୁ 1250 କିଲୋମିଟର ଦୂରରେ ଅଛି । 10 ତାରିଖରେ ଦିଗ ବଦଳାଇ ବାତ୍ୟା ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବାର ସମ୍ଭବନା ରହିଛି । ଦିଗ ବଦଳାଇବା ପରେ ଓଡ଼ିଶା ହେଉ କି ଆନ୍ଧ୍ର, ବାତ୍ୟା କେଉଁଠାରେ ଲ୍ୟାଣ୍ଡଫଲ୍ କରିବନି । ଲ୍ୟାଣ୍ଡଫଲ୍ ନକରି ବାତ୍ୟା ସମାନ୍ତରାଳ ଭାବେ ସମୁଦ୍ରରେ ଓଡ଼ିଶା ଊପକୂଳ ଦେଇ ଚାଲିଯିବ ବୋଲି କହିଛନ୍ତି IMD ଡିଜି ।












Click it and Unblock the Notifications