ମୋବାଇଲ ଦେଖୁଥିଲେ ଦୁଇ ସାଙ୍ଗ: ମାରିଲା ବଜ୍ରପାତ, ଚାଲିଗଲା ଜୀବନ
ଚଣ୍ଡିଖୋଲ: ମୋବାଇଲ ଦେଖୁ ଦେଖୁ ଗଲା ଜୀବନ । ବଜ୍ରାଘାତରେ ଚାଲିଗଲା ଯୁବକଙ୍କ ଜୀବନ। ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ଏହି ଅଘଟଣ ଘଟିଛି । ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଦା ପଞ୍ଚାୟତର ଏହି ଘଟଣା ଦେଖିବାକୁ ମିଳିଛି ।
ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଦା ପଞ୍ଚାୟତ ଚଇନିହୁଡା ଗ୍ରାମର ନୀଳମଣି ନାୟକଙ୍କ ସାନପୁଅ ମନୋରଞ୍ଜନ ନାୟକ ମୋବାଇଲ୍ ଦେଖୁଥିବା ବେଳେ (୧୮) ବଜ୍ରାଘାତର ଶିକାର ହୋଇଛନ୍ତି । ସେହିପରି ଉକ୍ତ ଗ୍ରାମର ବଟକୃଷ୍ଣ ତରାଇଙ୍କ ପୁଅ ମନୋଜ ତରାଇ (୧୮) ଙ୍କ ମୁଣ୍ଡରେ ଆଘାତ ଲାଗିବା ସହ ମୁଣ୍ଡ ଫାଟି ଯାଇଥିବାରୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁସାରେ, ଆଜି ସନ୍ଧ୍ୟା ୫ଟା ସମୟରେ ବର୍ଷା ଛାଡ଼ିଯିବା ପରେ ଦୁଇ ସାଙ୍ଗ ମନୋରଞ୍ଜନ ଓ ମନୋଜ ଦୁହେଁ ଗାଁର ଏକ ଛୋଟ ପୋଲ ଉପରେ ବସି ମୋବାଇଲ ଦେଖୁଥିଲେ । ଆଉ ହଠାତ୍ ସେହି ସମୟରେ ବଜ୍ରପାତ ହୋଇଥିଲା। ଏହା ପରେ ଘଟଣା ସ୍ଥଳରେ ମନୋରଞ୍ଜନଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣଙ୍କର ମୁଣ୍ଡ ଫାଟି ଯାଇଥିଲା । ଏହା ସହ ମୋବାଇଲଟି ଭାଙ୍ଗି ରୁଜି ଚୁରମାର ହୋଇ ଯାଇଥିଲା ।

ନିୟମିତ ଭାବେ ବଜ୍ରପାତ ବୃଦ୍ଧି ହେତୁ ବଜ୍ରପାତରେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼଼ି ବଢ଼଼ି ଚାଲିଛି । NCRB ତଥ୍ୟ ଅନୁଯାୟୀ, ୨୦୧୮ ମସିହାରେ ବଜ୍ରପାତରେ ରାଜ୍ୟରେ ୨୯୯ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିପରି
୨୦୧୯ରେ ୨୦୦ ଜଣ, ୨୦୨୦ରେ ୧୫୬ ଜଣ, ୨୦୨୧ରେ ୨୮୭ ଜଣ, ୨୦୨୨ରେ ୨୧୪ ଜଣ ଏବଂ ୨୦୨୩ରେ ବର୍ତ୍ତମାନ ସୁଦ୍ଧା ୨୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଗଲାଣି ।
ନିୟମିତ ଭାବେ ରାଜ୍ୟରେ ବଜ୍ରପାତର ସଂଖ୍ୟା ବୃଦ୍ଧି ପାଉଛି । ବଜ୍ରପାତରେ ମୃତକଙ୍କ ସଂଖ୍ୟା ମଧ୍ୟ ସମାନ ବଢ଼଼ି ବଢ଼଼ି ଚାଲିଛି । ଗତକାଲି ସୁନ୍ଦରଗଡ଼ ଜିଲ୍ଲା ଲାଠିକଟାରେ ବଜ୍ରପାତରେ ୩ ଜଣଙ୍କ ଜୀବନ ଯାଇଥିଲା । ସେହିପରି ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଦା ପଞ୍ଚାୟତ ଚଇନିହୁଡା ଗ୍ରାମର ଜଣେ ଯୁବକଙ୍କର ମଧ୍ୟ ବଜ୍ରପାତରେ ମୃତ୍ୟୁ ହୋଇଛି ।












Click it and Unblock the Notifications