ତାତିରେ ଛଟପଟ ହେବେ ରାଜ୍ୟବାସୀ, ୭ ପରେ ବଢିବ ତାତି
ଆସନ୍ତା ୭ ତାରିଖ ପରେ ରାଜ୍ୟରେ ବଢିବ ତାତି। ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ରହିଛି। ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରାଯାଇଛି। ସୂଚନା ମୁତାବକ, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକାଙ୍କ ଏ ନେଇ ସୂଚନା ରହିଛି। ଆହୁରି ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ତାଣ୍ଡବ ରଚିବ। ୪୦ ରୁ ୫୦କିମି ପବନ ବହିବାର ସମ୍ଭାବନା ରହିଛି।

ଏବେ ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। କେବଳ ବର୍ଷା ହେଉଛି ତାହା ନୁହେଁ, ପ୍ରବଳ ପବନ ସାଙ୍ଗକୁ କୁଆପଥର ମଧ୍ୟ ମାଡ଼ ହେଉଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ରାଜ୍ୟକୁ ପୁଣି ଫେରିବ ପ୍ରବଳ ଗ୍ରୀଷ୍ମ ପ୍ରବାହ। ଆସନ୍ତା ୭ ତାରିଖ ପରେ ୨ରୁ ୪ ଡିଗ୍ରି ଯାଏ ତାପମାତ୍ରା ବୃଦ୍ଧି ପାଇବା ସହ ପୁଣି ଅସମ୍ଭାଳ ତାତି ଅନୁଭବ ହେବ। ଏଥି ସହିତ କାଳବୈଶାଖୀର ତାଣ୍ଡବ ଆହୁରି ୪ ଦିନ ଜାରି ରହିବ। ଆଗାମୀ ୭ ତାରିଖ ଯାଏ ରାଜ୍ୟରେ ଜାରି ରହିବ ବର୍ଷା।
ଆସନ୍ତାକାଲି ପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଗଜପତି ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ଓ କୁଆପଥର ବର୍ଷା ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାରେ ପବନର ବେଗ ଘଣ୍ଟାପିଛା ୪୦ ରୁ ୫୦ କିମି ରହିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଅରେଞ୍ଜ ଓାର୍ଣ୍ଣିଂ ଜାରି କରିଛି। ଆସନ୍ତା ୫ ତାରିଖ ପାଇଁ ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ନେଇ ୟୋଲୋ ୱାର୍ଣ୍ଣିଂ ଜାରି ହେଇଛି। ମେ' ୬ରେ ମଧ୍ୟ ଅଧା ଓଡ଼ିଶା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି।












Click it and Unblock the Notifications