ରାଜ୍ୟରେ ଆଜିଠୁ ବଢିବ ତାତି; ୩ରୁ ୫ ଡିଗ୍ରୀ ଯାଏ ବଢ଼ିପାରେ ଦିନ ତାପମାତ୍ରା
ରାଜ୍ୟରେ ଆଜିଠୁ ବଢିବ ତାତି । ୩ରୁ ୫ ଡିଗ୍ରୀ ଯାଏ ବଢ଼ିପାରେ ଦିନ ତାପମାତ୍ରା । ଆସନ୍ତା ୩-୪ ଦିନରେ ପାରଦ ଉପରମୁହାଁ ହେବ। ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି । ୩୧ ତାରିଖ ପର୍ଯ୍ୟନ୍ତ ପାଣିପାଗରେ ବଡ ଧରଣର ପରିବର୍ତ୍ତନ ହେବନି । କିନ୍ତୁ କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଛି ।
ତାପମାତ୍ରା ବୃଦ୍ଧି ହେଲେ ବି ରାଜ୍ୟରେ ହିଟୱେଭ ସ୍ଥିତି ସମ୍ଭାବନା ନାହିଁ ।ଏବେ ବାତ୍ୟାର ପ୍ରଭାବ ହ୍ରାସ ଯୋଗୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିଛି ବର୍ତ୍ତମାନ ଉପକୂଳବର୍ତ୍ତୀ ଅଧିକାଂଶ ସ୍ଥାନରେ ତାପମାତ୍ରା ବିଶେଷ ଅଧିକ ରହୁ ନଥିବା ବେଳେ ଆର୍ଦ୍ରତା ଅଧିକ ରହୁଥିବାରୁ ବେଶୀ ଗୁଳୁଗୁଳି ହେଉଛି ।
ପାଣିପାଗ ବିଭାଗ ଆକଳନ କରିଛି, ଏଥର ଦେଶରେ ମୌସୁମୀ ବର୍ଷା ସ୍ବାଭାବିକଠାରୁ ଅଧିକ ରହିବ। ମୌସୁମୀ ପ୍ରଭାବରେ ଦେଶରେ ଲଙ୍କ ପିରିୟଡ ଆଭରେଜରେ ୧୦୬ ପ୍ରତିଶତ ବର୍ଷା ହେବ ବୋଲି କହିଥିଲା ଆଇଏମଡି । କିନ୍ତୁ ରାଜ୍ୟରେ ବର୍ଷା ପରିମାଣ ସ୍ୱାଭାବିକଠାରୁ କମ୍ ରହିପାରେ ବୋଲି ପୂର୍ବାନୁମାନ କରିଥିଲା ।

ଗତକାଲି ୮ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା। ୪୨.୪ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା
ସମ୍ୱଲପୁର-୪୦.୭, ନୂଆପଡା-୪୦.୪, ବଲାଙ୍ଗୀର-୪୦.୩, ସୋନପୁର, ଭବାନୀପାଟଣା, ସୁନ୍ଦରଗଡ଼ ଓ ଟିଟିଲାଗଡ଼ରେ ତାପମାତ୍ରା ୪୦ଡିଗ୍ରୀ ରେକର୍ଡ କରାଯାଇଥିଲା ।
ସେହିପରି ଖୋର୍ଦ୍ଧାରେ ୩୬ଡିଗ୍ରୀ ଓ କଟକରେ ତାପମାତ୍ରା ୩୫.୮ଡିଗ୍ରୀ ରେକର୍ଡ କରାଯାଇଥିଲା।ସେପଟେ ଚାଷୀଙ୍କ ପାଇଁ ଖୁସି ଖବର ରହିଛି ।ଆସନ୍ତା ୪ ଦିନ ଭିତରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚମ ମୌସୁମୀ ବାୟୁ। ଏନେଇ ସ୍ଥିତି ଅନୁକୂଳ ରହିଛି।












Click it and Unblock the Notifications