ଆଜି ରାଜଧାନୀରେ ଅସହ୍ୟ ତାତି : ସକାଳୁ ରାଜଧାନୀ ୩୨ ଡିଗ୍ରି ଟପିଲା ପାର
ଭୁବନେଶ୍ୱର: ଆଜି ସକାଳୁ ସକାଳୁ ରାଜଧାନୀରେ ତାତି ଅସମ୍ଭାଳ ହୋଇଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ଦିନ ୮ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୨.୮ ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ଏଠାରେ ଆର୍ଦ୍ରତା ୭୯ ପ୍ରତିଶତ ରହିଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି ।
ତେବେ ଆସନ୍ତା ଦୁଇଦିନ ପର୍ୟ୍ୟନ୍ତ ରାଜ୍ୟରେ ଆହୁରି ବଢ଼ିବ ତାପମାତ୍ରା । ପ୍ରବଳ ଗ୍ରୀଷ୍ମପ୍ରବାହ ସହ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେବେ ରାଜ୍ୟବାସୀ । ବିଭିନ୍ନ ସ୍ଥାନରେ ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ଏବଂ କିଛି ଜିଲ୍ଲାରେ ୭ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ବୃଦ୍ଧି ହେବା ସମ୍ଭାବନା ରହିଛି । କିଛି ସ୍ଥାନରେ ତାତି ୪୫ ଡିଗ୍ରୀ ଅତିକ୍ରମ କରିପାରେ । ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଆଜି ୮ଟି ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟର ୧୮ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ୪୪ ଡିଗ୍ରି ଉପରେ ରାଜ୍ୟର ଦୁଇ ସହର ରହିଥିଲା । ୪୪.୪ ଡିଗ୍ରି ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିବା ବେଳେ ୪୪ ଡିଗ୍ରି ତାପମାତ୍ରାରେ ରହିଥିଲା ଟିଟିଲାଗଡ଼ ସହର ।
ପଶ୍ଚିମ ଓଡ଼ିଶାରେ ସୋମବାର ଦିନ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଥିଲା।
ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନର ପାରଦ ୪୦ ଡିଗ୍ରି ଅତିକ୍ରମ କରିଯାଇଥିଲା। ଝାରସୁଗୁଡ଼ାରେ ସୋମବାର ଦିନ ୪୩.୬ ଡିଗ୍ରି, ଭବାନୀପାଟଣାରେ ୪୩.୫, ବୌଦ୍ଧରେ ୪୨.୯, ସମ୍ବଲପୁରରେ ୪୨.୮, ମାଲକାନଗିରିରେ ୪୨.୮, ଅନୁଗୁଳରେ ୪୨.୭, ସୁନ୍ଦରଗଡ଼ରେ ୪୨.୪, ରାଉରକେଲାରେ ୪୨.୨, ବରଗଡ଼ରେ ୪୨.୧, ତାଳଚେର, ନୂଆପଡ଼ା ଓ ନୟାଗଡ଼ରେ ୪୨ ଡିଗ୍ରି ଲେଖାଏ ତାପମାତ୍ରା ରେକର୍ଡ ହୋଇଥିଲା। ଆସନ୍ତା ୧୭ ତାରିଖ ଯାଏ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ।












Click it and Unblock the Notifications