ଚାଲିଛି ଖରା ବର୍ଷାର ଲୁଚକାଳି ଖେଳ: ଦିନରେ ତାତି, ଅପରାହ୍ନରେ କାଳବୈଶାଖୀ
ଭୁବନେଶ୍ୱର: ଦିନରେ ଜାଳୁଛି, ଅପରାହ୍ନରେ ଢାଳୁଛି । ରାଜ୍ୟରେ ଏବେ ଖରା ବର୍ଷାର ଲୁଚକାଳି ଖେଳ ଚାଲିଛି । ଦିନ ସାରା ଅସହ୍ୟ ଗୁଳୁଗୁଳିରେ ରାଜ୍ୟବାସୀ ଆଉଟପାଉଟ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ମଧ୍ୟ ଆଶ୍ୱସ୍ଥି ଦେଇପାରୁ ନାହିଁ ।
ଆଜି ଦିନ ୨ ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଉପରେ ରହିଥିଲା ୪ ସହରର ତାପମାତ୍ରା । ୪୪.୨ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର । ସେହିପରି ଝାରସୁଗୁଡାରେ ୪୩.୪ ଡ଼ିଗ୍ରୀ, ହୀରାକୁଦରେ ୪୨.୮ ଡ଼ିଗ୍ରୀ, ଭୁବନେଶ୍ୱରରେ ୪୧.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କେନ୍ଦୁଝରରେ ୩୬.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଗୋପାଳପୁରରେ ୩୫.୪ ଡ଼ିଗ୍ରୀ, ପୁରୀରେ ୩୪.୬ ଡ଼ିଗ୍ରୀ, ପାରାଦୀପରେ ୩୨.୮ ଡ଼ିଗ୍ରୀ, ବାଲେଶ୍ୱରରେ ୩୨.୬ ଡ଼ିଗ୍ରୀ ଓ ଚାନ୍ଦବାଲିରେ ୨୬.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଅନ୍ୟପଟେ ଆସନ୍ତା ୪ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବ । ଆଜି ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ୧୪ ଜିଲ୍ଲାକୁ କାଳବୈଶାଖୀ ପାଇଁ ଜାରି ହୋଇଛି ୟେଲୋ ଆଲର୍ଟ ଜାରି ହୋଇଛି । ସେହିପରି ଆସନ୍ତାକାଲି ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ତାଣ୍ଡବ ରଚିବ କାଳବୈଶାଖୀ । ଏଥିପାଇଁ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୪ ତାରିଖରେ ୧୩ ଜିଲ୍ଲାକୁ ଘଡ଼ଘଡ଼ି ବିଜୁଳି ସହ ବର୍ଷା ସତର୍କତା ଜାରି କରାଯାଇଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ରହିବ । ସେହିପରି ଆଗାମୀ ୨୪ ଘଣ୍ଟାରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୧ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।












Click it and Unblock the Notifications