ଆଜିଠୁ ବଢ଼ିବ ତାତି: ମାର୍ଚ୍ଚ ପ୍ରଥମ ସପ୍ତାହରେ ୪୨ ଡିଗ୍ରୀ ଛୁଇଁପାରେ ତାପମାତ୍ରା
ଆଜିଠୁ ବଢ଼ିବ ତାତି । ମାର୍ଚ୍ଚ ପ୍ରଥମ ସପ୍ତାହରେ ରାଜ୍ୟରେ ସୃଷ୍ଟି ହୋଇପାରେ ଅସମ୍ଭାଳ ତାତି । ଆସନ୍ତା ୫ ଦିନ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ।

ଭୁବନେଶ୍ୱର: ଆଜିଠୁ ବଢ଼ିବ ତାତି । ମାର୍ଚ୍ଚ ପ୍ରଥମ ସପ୍ତାହରେ ରାଜ୍ୟରେ ସୃଷ୍ଟି ହୋଇପାରେ ଅସମ୍ଭାଳ ତାତି । ଆସନ୍ତା ୫ ଦିନ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ ବଢ଼ିବା ସମ୍ଭାବନା ରହିଛି । ମାର୍ଚ୍ଚ ପ୍ରଥମ ସପ୍ତାହରେ କିଛି ସ୍ଥାନରେ ତାପମାତ୍ରା ୪୦ରୁ ୪୨ ଡିଗ୍ରୀ ମଧ୍ୟରେ ପହଞ୍ଚିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।
ତେବେ ଆସନ୍ତା ମାର୍ଚ୍ଚ ୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୭ ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେବ ବୋଲି ମଡେଲ୍ ଦର୍ଶାଉଛି । ଏହା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଉତ୍ତପ୍ତ ବାୟୁକୁ ଆକର୍ଷିତ କରିବ । ଯାହାଦ୍ୱାରା ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
ତେବେ ଗତ ୩ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରାରେ ସାମାନ୍ୟ ହ୍ରାସ ହୋଇଛି । ପୂର୍ବରୁ ଏକାଧିକ ସ୍ଥାନରେ ତାପପାତ୍ରା ୩୮ ଡିଗ୍ରୀ ଉପରେ ରହୁଥିବା ବେଳେ ଏବେ ଏହା ହ୍ରାସ ହୋଇଛି । ରବିବାର ବୌଦ୍ଧ ଓ ମାଲକାନଗିରିରେ ତାପମାତ୍ରା ୩୭.୫ ଡିଗ୍ରୀ ଲେଖାଏଁ ରେକର୍ଡ କରାଯାଇଛି ।
ସେପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ସୋମବାରଠାରୁ ଦିନର ସର୍ବାଧିକ ତାପମାତ୍ରା କ୍ରମଶଃ ବଢ଼ିବ । ସାରା ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ଏବଂ ଭୋର ସମୟରେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ କୁହୁଡ଼ିଆ ପାଗ ରହିବ । ଉତ୍ତର ପଶ୍ଚିମ ଭାରତରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ । ସୋମବାରଠାରୁ ଶନିବାର ମଧ୍ୟରେ ସର୍ବାଧିକ ତାପମାତ୍ରା ୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ । ଆକଳନ କରାଯାଉଛି ଯେ ଗରମ ବୃଦ୍ଧି ଯୋଗୁଁ ମାର୍ଚ୍ଚ ୩/୪ ସୁଦ୍ଧା ରାଜ୍ୟର ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ହେବ । କେତେକ ସ୍ଥାନରେ ୪୧ ଡିଗ୍ରିରୁ ଅଧିକ ହୋଇପାରେ ।












Click it and Unblock the Notifications