ଉପର ମୁହାଁ ହେଲା ପାରଦ, ଆହୁରି ୪ ଡ଼ିଗ୍ରୀ ବଢ଼ିବ ତାପମାତ୍ରା
ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଉପର ମୁହାଁ ହେଲା ପାରଦ । ସ୍ୱାଭାବିକ ଠାରୁ ମାର୍ଚ୍ଚ ମାସରେ ଅଧିକ ରହିବ ତାପମାତ୍ରା । ଏଭଳି କିଛି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଉପର ମୁହାଁ ହେଲା ପାରଦ । ସ୍ୱାଭାବିକ ଠାରୁ ମାର୍ଚ୍ଚ ମାସରେ ଅଧିକ ରହିବ ତାପମାତ୍ରା । ଏଭଳି କିଛି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ମାର୍ଚ୍ଚରୁ ମେ ମାସ ଯାଏ ତାପମାତ୍ରା ସ୍ୱାଭାବିକ ଠାରୁ ବେଶ୍ ଅଧିକ ରହିବ ।
ଆଗାମୀ ୪ଦିନ ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାରେ ତାତି ଅସମ୍ଭାଳ ହେବ। ଅଧିକାଂଶ ସହରର ସର୍ବୋଚ୍ଚ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଭୁବନେଶ୍ବର ସମେତ ପଶ୍ଚିମ ଓଡ଼ିଶାର କେତେକ ସହରର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଉପରକୁ ଛୁଇଁବାର ସମ୍ଭାବନା ରହିଛି । ରାଜଧାନୀ ଭୁବନେଶ୍ବର ସମେତ ଅନୁଗୁଳ, ସୋନୁପୁର, ବୌଦ୍ଧ, ଟିଟିଲାଗଡ, ବଲାଙ୍ଗୀର, ସମ୍ବଲପୁର, ତାଳଚେର, ଚାନ୍ଦବାଲି, ମାଲକାନଗିରିରେ ତାପମାତ୍ରା ୩୮ ରୁ ୪୨ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁପାରେ। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଏବଂ ରେଡ ଆଲର୍ଟ ଜାରି କରିଛି ଆଇଏମଡି ।
ତେବେ ଗତ ୨୪ ଘଣ୍ଟା ମଧ୍ୟରେ ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ମାଲକାନଗିରି ଓ ନୟାଗଡ଼ରେ ୩୭, ସୋନପୁରରେ ୩୬.୯, ଅନୁଗୁଳରେ ୩୬.୭, ଭୁବନେଶ୍ବରରେ ୩୬.୬ ଡିଗ୍ରି ରହିଥିଲା। କୋରାପୁଟ ଓ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରି ରେକର୍ଡ ହୋଇଛି । ଗତବର୍ଷ ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବ ଥିବାରୁ ତାତି ବିଳମ୍ବରେ ବଢିଥିଲା । କିନ୍ତୁ ଚଳିତ ବର୍ଷ ପଶ୍ଚିମା ଝଡର ପ୍ରଭାବ ନଥିବାରୁ ଗତ ନଭେମ୍ବର ମାସରୁ ଗାଏବ ହୋଇଯାଇଛି ବର୍ଷା । ଫଳରେ ତାତି ବଢିବା ସହ ଫେବ୍ରୁଆରୀ ମାସରୁ ଝାଞ୍ଜି ପବନ ବହିବା ଆରମ୍ଭ କରିଛି ।
ସେପଟେ ସାରା ଭାରତରେ ଏ ବର୍ଷ ମଧ୍ୟ ଆଗୁଆ ଭୀଷଣ ଗରମ ଅନୁଭୂତ ହେବ । ମାର୍ଚ୍ଚରୁ ହିଁ ଲୁ' ଆସି ଦେଶବାସୀଙ୍କୁ ସିଝାଇବ । ଏପରି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଚଳିତ ବର୍ଷ ଫେବ୍ରୁଆରୀର ତାପମାତ୍ରା ଗତ ୧୨୨ ବର୍ଷର ରେକର୍ଡ ଭାଙ୍ଗିଛି । ୧୯୦୧ରୁ ୨୦୨୩ ମଧ୍ୟରେ ଚଳିତ ବର୍ଷ ଫେବ୍ରୁଆରୀରେ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ କରାଯାଇଛି । ଚଳିତ ବର୍ଷ ଫେବ୍ରୁଆରୀରେ ସର୍ବାଧିକ ଦିନ ତାପମାତ୍ରା ୨୯ ଦଶମିକ ୫ ଡିଗ୍ରୀ ରହିଥିଲା । ଉତ୍ତର ଓ ମଧ୍ୟ ଭାରତରେ ଦିନ ତାପମାତ୍ରା ସ୍ୱାଭାବିକ ସ୍ତରଠାରୁ ୧ ଦଶମିକ ୭୩ ଡିଗ୍ରୀ ଅଧିକ ରହିଥିଲା ।












Click it and Unblock the Notifications