ଜଳୁଛି ରାଜଧାନୀ, ଦିନ ୧୨ଟା ସୁଦ୍ଧା ୪୦ ଡିଗ୍ରୀ ଉପରେ ତାପମାତ୍ରା
ତତଲା ତାୱାରେ ଶେକି ହେଉଛି ରାଜଧାନୀ । ୪୦ ଡିଗ୍ରୀ ଅତିକ୍ରମ କଲା ରାଜଧାନୀ ଭୁବନେଶ୍ବରର ତାପମାତ୍ରା । ଦିନ ୧୨ ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୪୦.୨ ଡିଗ୍ରୀ ରହିଛି ।
ଭୁବନେଶ୍ୱର: ତତଲା ତାୱାରେ ଶେକି ହେଉଛି ରାଜଧାନୀ । ୪୦ ଡିଗ୍ରୀ ଅତିକ୍ରମ କଲା ରାଜଧାନୀ ଭୁବନେଶ୍ବରର ତାପମାତ୍ରା । ଦିନ ୧୨ ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୪୦.୨ ଡିଗ୍ରୀ ରହିଛି । ଡହଡହ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଆଜି ରାଜଧାନୀ ଏକ ଜ୍ବଳନ୍ତ ଅଗ୍ନିପିଣ୍ଡ ସଦୃଶ ପ୍ରତୀୟମାନ ହେଉଛି ।

ତେବେ ରାଜଧାନୀ ସମେତ ସାରା ରାଜ୍ୟରେ ଅସହ୍ୟ ଗରମ ସହ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗ୍ରୀଷ୍ମ ପ୍ରବାହରେ ଆହୁରି କଲବଲ ହେବ ଜନଜୀବନ । ଆସନ୍ତା ୩ଦିନ ପର୍ଯ୍ୟନ୍ତ ତାତିରୁ ମୁକ୍ତି ମିଳିବନି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ଉପକୂଳରେ ତାପମାତ୍ରା ବିଶେଷ ପରିବର୍ତ୍ତନ ହେବନି ।
ଗତକାଲି ରାଜଧାନୀ ଭୁବନେଶ୍ୱରରେ ଦିନର ସର୍ବାଧିକ ତାପମାତ୍ରା ୪୧.୭ ଡିଗ୍ରୀ ରହିଥିଲା। ଯାହା ଚଳିତ ବର୍ଷ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ଥିଲା। ଲାଗୁଛି ଆଜି ଏହି ରେକର୍ଡ ଭାଙ୍ଗିଯିବ। ଗତକାଲି ରାଜ୍ୟରେ ୨୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ସେଥିରୁ ୯ଟିରେ ତାପମାତ୍ରା ୪୧ ଡିଗ୍ରୀ ବା ଏହା ଉପରେ ରେକର୍ଡ କରାଯାଇଥିଲା। ଆଗକୁ ତାତି ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।












Click it and Unblock the Notifications