ରାଜ୍ୟରେ ଗ୍ରୀଷ୍ମ ପ୍ରବାହ, ବଦଳିଲା ସ୍କୁଲ ସମୟ... ଜାଣିରଖନ୍ତୁ ନୂଆ ସମୟ
Morning School: ସାରା ରାଜ୍ୟରେ ହିଟ୍ ୱେଭ୍ । ପ୍ରଚଣ୍ଡ ଖରାରେ ଜଳୁଛି ଓଡ଼ିଶା । ଉପକୂଳ ରୁ ଉପାନ୍ତ ଓ ଉତ୍ତରରୁ ଦକ୍ଷିଣ ସବୁଆଡ଼େ ତାତିର ପ୍ରକୋପ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ।
ଏଥିଲାଗି ସ୍କୁଲ ସମୟରେ ପୁଣି ପରିବର୍ତ୍ତନ କରାଯାଇଛି । ସମ୍ବଲପୁରରେ ବଦଳିଛି ସ୍କୁଲ ସମୟ । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସକାଳ ସାଢ଼େ 6 ରୁ ସାଢ଼େ 10 ଟା ଯାଏଁ ଖୋଲା ରହିବ । ସେହିପରି ଶ୍ରମିକମାନେ ଦିନ 11 ଟାରୁ ଅପରାହ୍ନ ସାଢ଼େ 3 ଟା ଯାଏ କାମ କରିବା ଉପରେ କଟକଣା ଜାରି କରାଯାଇଛି ।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ଡାକ୍ତରଖାନାରେ ଅଂଶୁଘାତ ୱାର୍ଡ ଖୋଲିବା ନେଇ ନିର୍ଦେଶ ସହ ନିଜେ ଏହାର ସମୀକ୍ଷା କରିଛନ୍ତି । ସେହିପରି ଜଳଛତ୍ର ଖୋଲିବା ସହ ପାନୀୟ ଜଳ ସମସ୍ୟା ଥିବା ଅଞ୍ଚଳରେ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଣ କରିବାକୁ କୁହାଯାଇଛି । ଏନେଇ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ସିଡିଏମଓ, ଡିଇଓ ଓ ବିଇଓଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ସେହିପରି ନୟାଗଡ଼ରେ ମଧ୍ୟ ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି । ଜିଲ୍ଲାରେ ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ଜିଲାପାଳ ସ୍ୱଧାଦେବ ସିଂହ ବୁଧବାର ସକାଳୁଆ ସ୍କୁଲ ସମୟର ପରିବର୍ତ୍ତନ ଆଣିଛନ୍ତି । ଏପ୍ରିଲ 4 ଅର୍ଥାତ୍ ଗୁରୁବାରଠାରୁ ସକାଳ ସାଢ଼େ 6ଟାରୁ ପୂର୍ବାହ୍ନ ସାଢ଼େ 10 ଟା ପର୍ଯ୍ୟନ୍ତ ପାଠପଢ଼ା କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜିଲା ପ୍ରଶାସନ ପକ୍ଷରୁ ଚିଠି ପ୍ରକାଶ ପାଇଛି । ପୂର୍ବରୁ ସ୍କୁଲ ସକାଳ 7 ଟାରୁ ପୂର୍ବାହ୍ନ ସାଢ଼େ 11ଟା ପର୍ଯ୍ୟନ୍ତ ଚାଲୁଥିଲା । ଏନେଇ ଜିଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ କୁହନ୍ତି, ଜିଲାରେ ଖରାର ପ୍ରକୋପ ବଢ଼ୁଥିବାରୁ ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଗୁରୁବାରଠାରୁ ସକାଳ ସାଢ଼େ 6 ଟାରୁ ପୂର୍ବାହ ସାଢ଼େ 10ଟା ପର୍ଯ୍ୟନ୍ତ ପାଠପଢ଼ା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କଲେଜ ପାଇଁ ନିୟମ ଲାଗୁ କରାଯାଇନି ।
ଜିଲାରେ ପ୍ରାୟ 5 ଦିନ ହେବ 40 ଡିଗ୍ରୀ ତାପମାତ୍ରା ରହୁଛି । ଏକାଧିକ ସ୍ଥାନରେ 41 ଡିଗ୍ରୀ ତାପମାତ୍ରା ରହୁଛି । ଏଭଳିସ୍ଥଳେ ସ୍କୁଲରୁ ଛାତ୍ରୀଛାତ୍ର ପୂର୍ବାହ୍ନ ସାଢ଼େ 11ଟାରେ ଫେରିବା ବେଳେ ହଇରାଣ ହେଉଥିଲେ । ଏଥିପାଇଁ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ ପାଇଁ ବୁଧବାର ସ୍ମାରକପତ୍ର ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।












Click it and Unblock the Notifications