ଫିକା ହେବ ରଜ ମୌଉଜ, ଏଥର ରଜରେ ଖାଲି ତାତି ଆଉ ଗୁଳୁଗୁଳି
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । କଟକ ଏବଂ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଗରମ ସାଙ୍ଗକୁ ଅହସ୍ୟ ଗୁଳୁଗୁଳି ଜାରି ରହିଛି । ସ୍ୱାଭାବିକ ତୁଳନାରେ ୬ ଦଶମିକ ୫ ଡିଗ୍ରୀ କିମ୍ବା ଅଧିକ ବ୍ୟବଧାନରେ ରେକର୍ଡ ହୋଇପାରେ ଦିନ ତାପମାତ୍ରା ।
ସେପଟେ ରଜରେ ପ୍ରବଳ ଗୁଳୁଗୁଳି ସହ ତାତି ଜାରି ରହିବ । ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନଥିବା ବେଳେ ଚଳିତ ବର୍ଷ ୧୪ ରୁ ୧୬ ରଜ ପର୍ବରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ଏନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଭୁବନେଶ୍ବର ସମେତ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ଆହୁରି ବଢ଼ିବ। ବିଶେଷ କରି ଦକ୍ଷିଣ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ୪୬ ଡିଗ୍ରୀ ଅତିକ୍ରମ କରିପାରେ। ଉପକୂଳରେ ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ବଢ଼ିବା ସହ ରାଜ୍ୟରେ ଝାଞ୍ଜି ପବନ ବହିବାର ସମ୍ଭାବନା ଥିବାରୁ ଗରମ ଅଧିକ ଅସହ୍ୟ ହେବ।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆହୁରି ଦୁଇ ଦିନ ଯାଏଁ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ତାତି ଜାରି ରହିବ । କିଛି ସ୍ଥାନରେ ସ୍ୱାଭାବିକଠାରୁ ୪ ରୁ ୬ ଡିଗ୍ରୀ ଉପରେ ପାରଦ ରହିପାରେ । ତାତି ଅଧିକ ରହୁଥିବାରୁ ଏଥର ରଜରେ କୋହଲା ପାଗ ଦେଖିବାକୁ ମିଳି ନପାରେ ।
ଅନ୍ୟପଟେ ତାତି ପାଇଁ ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବୋଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସେହିଭଳି ୪ଟି ଜିଲ୍ଲା ସୁନ୍ଦରଗଡ, କନ୍ଧମାଳ, ନୂଆପଡା ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଆଜି ଭଳି ଆସନ୍ତାକାଲି ବି କିଛି ଜିଲ୍ଲାକୁ ସତର୍କ କରାଯାଇଛି । ଜୁନ ୧୩ ତାରିଖ ପାଇଁ ୫ଟି ଜିଲ୍ଲାକୁ ଅରେଞ୍ଜ ଓ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।












Click it and Unblock the Notifications