ଆହୁରି ୩ ଦିନ ଏମିତି ତାତି ଓ ଗୁଳୁଗୁଳି....
ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ତାଣ୍ଡବ । ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରି ପକାଉଛି । ସକାଳ ୮ ବାଜିଲେ ଆରମ୍ଭ ହୋଇଯାଉଛି ଗ୍ରୀଷ୍ମ ପ୍ରବାହର ପ୍ରକୋପ । ତେବେ ଏହି ଭଳି ତାତି ଓ ଗୁଳୁଗୁଳି ଆସନ୍ତା ୩ ଦିନ ଅର୍ଥାତ ୨୪ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଅତ୍ୟଧିକ ଦିନ ତାପମାତ୍ରା ଓ ବାୟୁମଣ୍ଡଳର ଆର୍ଦ୍ରତା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହେଉଛି ବୋଲି କହିଛି ପାଣିପାଗ କେନ୍ଦ୍ର । ତେବେ ୨୪ ତାରିଖ ପରେ ତାପମାତ୍ରାରେ ପରିବର୍ତ୍ତନ ହେବ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଅଞ୍ଚଳରେ କାଳବୈଶାଖୀଜନିତ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ଏଥିପାଇଁ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବ ନାହିଁ । କିଛି କିଛି ଅଞ୍ଚଳର ତାପମାତ୍ରା ୪୨ ଡିଗ୍ରି ଉପରେ ରହିବ ।

ଆଜି (ରବିବାର) ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାର କେତେକ ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ବିଶେଷକରି ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ ଜାରି ରହିବ ।
ସେହିପରି ଗତକାଲି (ଶନିବାର) ରାଜ୍ୟର ୧୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ବୌଦ୍ଧ ପାଲଟିଥିଲା ସର୍ବାଧିକ ଉତ୍ତପ୍ତ ସହର । ଏଠାରେ ପାରଦ ୪୨.୯ ଡିଗ୍ରୀ ରେକର୍ଡ କରାଯାଇଛି । ଦ୍ୱିତୀୟରେ ଥିଲା ଝାରସୁଗୁଡ଼ା । ଏଠାରେ ଆଜି ୪୨.୬ ଡିଗ୍ରୀ ପାରଦ ରହିଛି । ଠିକ୍ ସେହିପରି ସମ୍ବଲପୁରରେ ୪୧.୮ ଡିଗ୍ରୀ, ସୁନ୍ଦରଗଡ଼ରେ ୪୦ ଡିଗ୍ରୀ, ହୀରାକୁଦରେ ୪୧.୧ ଡିଗ୍ରୀ, ସୋନପୁରରେ ୪୧.୩ ଡିଗ୍ରୀ, ଭଦ୍ରକରେ ୪୦.୫ ଡିଗ୍ରୀ, ଯାଜପୁରରେ ୪୦.୨ ଡିଗ୍ରୀ, ବରଗଡ଼ରେ ୪୦ ଡିଗ୍ରୀ, ନୂଆପଡ଼ା ୪୧.୪ ଡିଗ୍ରୀ ଓ ରାଉରକେଲାରେ ୪୦.୬ ଡିଗ୍ରୀ ସେଲସିୟସ ରହିଛି ପାରଦ ।












Click it and Unblock the Notifications