ରାଜ୍ୟରେ ଆଉ ୫ ଦିନ ଅସହ୍ୟ ତାତି, ଆଭ୍ୟନ୍ତରୀଣ ଓଡ଼ିଶାରେ ୪୨ ଡିଗ୍ରୀ ଟପିପାରେ ତାପମାତ୍ରା
ଭୁବନେଶ୍ୱର: ଆହୁରି ୫ ଦିନ କଲବଲ କରିବ ତାତି । ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀ ପାଖାପାଖି ରହିପାରେ । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଟପିପାରେ ।
ସେପଟେ ଉପକୂଳ ଜିଲ୍ଲାରେ ଆଗାମୀ ୩ ଦିନ ଯାଏ କାଳବୈଶାଖୀ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷେ, ଗତ ସନ୍ଧ୍ୟାରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ପ୍ରବାହରେ ବର୍ଷା ହୋଇଥିବାରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।

ତେବେ ଆଇଏମଡି ଆହୁରି ପୂର୍ବାନୁମାନ କରିଛି ଯେ ଉପକୂଳ ତଥା ଏହାର ନିକଟବର୍ତ୍ତୀ ଜିଲ୍ଲାମାନଙ୍କରେ ବର୍ଷା ଓ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୫୦-୬୦ କିଲୋମିଟର ପର୍ଯ୍ୟନ୍ତ ବହିପାରେ। ଏହାସହ ମୟୂରଭଞ୍ଜ, ବାଲେଶ୍ବର ଏବଂ ଭଦ୍ରକ ପାଇଁ ଗୁରୁବାର ସକାଳ ୮ଟା ୩୦ ପର୍ଯ୍ୟନ୍ତ ବଜ୍ରପାତ ସହ ଘଡଘଡି ହେବାର ସମ୍ଭାବନା ରହିଛି।
ତେବେ ଆସନ୍ତା ୫ ଦିନ ଯାଏ ଦିନର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଅନୁଗୁଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ କଳାହାଣ୍ଡି ସମେତ ଓଡ଼ିଶାର କେତେକ ଆଭ୍ୟନ୍ତରୀଣ ଅଞ୍ଚଳରେ ପାରଦ ୪୨ ଡିଗ୍ରି ବା ତା'ଠାରୁ ଅଧିକ ହୋଇପାରେ।
ମଙ୍ଗଳବାର ରାଜ୍ୟର ୧୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ବା ତା'ଠାରୁ ଅଧିକ ରହିଥିବା ବେଳେ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୪.୩ ଡିଗ୍ରି ରହିଥିବା ବେଳେ ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀରରେ ୪୪ ଡିଗ୍ରି ରହିଛି।












Click it and Unblock the Notifications