ବାତ୍ୟା ଆସିଲାନି, ହେଲେ ମାଡି ଆସିଲା ତାତି: ଆଗାମୀ ୫ ଦିନ ଯାଏ ଜଳିବ ଓଡ଼ିଶା
ଭୁବନେଶ୍ୱର: ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ବାତ୍ୟା ଭୟ ରାଜ୍ୟ ଉପରୁ ଟଳି ଗଲା ସିନା ହେଲେ ମାଡି ଆସିଲା ତାତି । ତେବେ ଆଗାମୀ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ପରି ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଲାଗି ରହିବ । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।
ଆଜି ରାଜ୍ୟ ଅଧିକାଂଶ ସ୍ଥାନରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୁତ ହୋଇଛି । ଆଞ୍ଚଲିକ ପାଣିପାଗ କେନ୍ଦ୍ର ସୂଚନାନୁସାରେ, ଆଜି ଝାରସୁଗୁଡା ରାଜ୍ୟ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଆଜି ଝାରସୁଗୁଡା ତାପମାତ୍ର ୪୨.୯ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଆଜି ଦିନ ୨ଟା ସୁଦ୍ଧା ସମ୍ବଲପୁରରେ ୪୨.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ୪୧.୪ ଡିଗ୍ରୀ ଓ ଭୁବନେଶ୍ୱରରେ ୩୭.୬ ଡିଗ୍ରୀ ରେକର୍ଡ ହୋଇଛି ।

ଗତକାଲି ରାଜ୍ୟର ୧୮ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓ ବାତ୍ୟା ପ୍ରଭାବରେ ତାତିରୁ ଆଶ୍ୱସ୍ତି ମିଳିବ ବୋଲି ଆଶା ଥିଲା । ହେଲେ ବାତ୍ୟା ବାଂଲାଦେଶ ମୁହାଁ ହେବାକୁ ଥିବାବେଳେ କୌଣସି ପ୍ରଭାବ ରାଜ୍ୟ ଉପରେ ପଡ଼ିବ ନାହିଁ ।
ସେପଟେ ଆଗାମୀ ୫ ଦିନ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ । ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ କିମ୍ବା ତା ଠାରୁ ଅଧିକ ରହିବ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଖରା ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବାକୁ ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ଏ ସ୍ଥିତି ଆଉ ୫ ଦିନ ଲାଗି ରହିବ ।












Click it and Unblock the Notifications