ରୌଦ୍ରତାପଜନିତ ଅସୁସ୍ଥତା ୪୯କୁ ବୃଦ୍ଧି; ସମ୍ବଲପୁରରେ ୪୦ ଅସୁସ୍ଥ, ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ବଢ଼ୁଛି ତାତି, ରୌଦ୍ରତାପଜନିତ ଅସୁସ୍ଥତା ବି ବଢ଼ୁଛି । ବର୍ତ୍ତମାନ ସୁଦ୍ଧା ୪୯ ରୌଦ୍ରତାପଜନିତ କାରଣରୁ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି ।ଏହା ଭିତରୁ ସମ୍ବଲପୁରରୁ ସର୍ବାଧିକ ୪୦ ଜଣ ଅସୁସ୍ଥ ସୂଚନା ମିଳିଛି । ଏନେଇ ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର ।

ସୂଚନା ଯୋଗ୍ୟ ଯେ,ପଶ୍ଚିମରେ ପ୍ରବଳ ତାତି ଅନୁଭୂତ ହେଉଥିଲା ବେଳେ ଉପକୂଳର ଆଦ୍ରତା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ରବିବାର ଝାରସୁଗୁଡା ରାଜ୍ୟର ସର୍ବାଧିକ ଉତପ୍ତ ସହର ପାଲଟିଥିବା ବେଳେ ସୋମବାର ମଧ୍ୟ ଏଠାରେ ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୪୪.୮ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି।
୪୪.୮ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତଥ୍ୟ ଅନୁଯାୟୀ ଝାରସୁଗୁଡା ୪୪.୮ ଡିଗ୍ରୀ, ସମ୍ବଲପୁର ୪୨.୬, ହୀରାକୁଦ ୪୧.୮, ରାଉରକେଲା ୪୧.୨, କେନ୍ଦୁଝର ୩୭.୮, ଚାନ୍ଦବାଲି ୩୭.୬, ବାଲେଶ୍ୱର ୩୬.୨, ଭୁବନେଶ୍ୱର ୩୫.୨ ରେକର୍ଡ କରାଯାଇଛି।
ଅନ୍ୟପଟେ ଉପକୂଳ ଓଡ଼ିଶାରେ ଆଜି ଦିନ ୨ଟା ୩୦ ସୁଦ୍ଧାଆଦ୍ରତା ବୃଦ୍ଧି ପାଇଛି। ପୁରୀରେ ୭୨%, ଗୋପଳପୁର ୭୨%, ପାରାଦ୍ୱୀପ ୭୦%, ବାଲେଶ୍ୱର ୬୨%, ଭୁବନେଶ୍ୱର ୬୨%,ଚାନ୍ଦବାଲି ୫୯% ରେକର୍ଡ ହୋଇଛି ।
ଆଗାମୀ ତିନିଦିନରେ ରାଜ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ବଢିବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେଉଁଝର, ମୟୁରଭଞ୍, ବାଲେଶ୍ୱର , ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଂଜାମ, ଗଜପତି, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ଏବଂ ମାଲକାନଗିରି ଜିଲାରେ କାଳବୈଶାଖୀ ପ୍ରଭାବରେ ଝାଡ଼ବର୍ଷା ହୋଇପାରେ।
ତେବେ ମଙ୍ଗଳବାରଠାରୁ ରାଜ୍ୟରେ ଆହୁରି ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ବଲାଙ୍ଗୀର ଜିଲାକୁ ହିଟୱେଭ ଆଲର୍ଟ ଜାରି କରାଯାଇଛି।












Click it and Unblock the Notifications