Hari Babu Kambhampati: ଓଡ଼ିଶାର ନୂଆ ରାଜ୍ୟପାଳ ଭାବରେ ଶପଥ ନେଲେ ହରିବାବୁ କମ୍ଭମପତି
ଆଜିଠୁ ନୂଆ ରାଜ୍ୟପାଳ ହେଲେ ହରିବାବୁ କମ୍ଭମପତି । ଶପଥ ନେଲେ ଓଡ଼ିଶାର ନୂଆ ରାଜ୍ୟପାଳ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ । ଭୁବନେଶ୍ୱରର ରାଜଭବନର ଅଭିଷେକ ହଲ୍ରେ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନେକ ନେତୃବୃନ୍ଦ ସାମିଲ ହୋଇଥିଲେ । ଶପଥ ପାଠ ପରେ ତାଙ୍କ ରାଜଭବନ ପରିସର ପରିଦର୍ଶନ କରାଯାଇଥିଲା ।
ସୂଚନା ଅନୁସାରେ ହରି ବାବୁ କମ୍ଭମପତି ୨୦୨୧ ଜୁଲାଇ ୧୯ତାରିଖରେ ମିଜୋରାମର ରାଜ୍ୟପାଳ ଭାବେ ଶପଥ ନେଇଥିଲେ । ତେବେ ନିକଟରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଗ୍ରହଣ କରିଥିଲେ ଏବଂ ତାଙ୍କ ସ୍ଥାନରେ ମିଜୋରାମର ରାଜ୍ୟପାଳ ଥିବା ଡକ୍ଟର ହରି ବାବୁ କମ୍ଭମପତିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି ।

ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିବା ଡଃ କମ୍ଭମପତି ୧୯୭୪-୭୫ ମସିହାରେ ଜୟପ୍ରକାଶ ନାରାୟଣ ଆନ୍ଦୋଳନବେଳେ ଗିରଫ ହୋଇ ୬ମାସ ଜେଲ୍ ଯାଇଥିଲେ। ସେ ୧୯୯୯ ମସିହାରେ ପ୍ରଥମ ଥର ପାଇଁ ବିଶାଖାପାଟଣାର ବିଧାୟକ ଭାବେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୧୪ ମସିହାରେ ବିଶାଖାପାଟଣା ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ।
ଗତ ଡିସେମ୍ବର ୨୪ ତାରିଖରେ ଶ୍ରୀ ହରିବାବୁ କମ୍ଭମପତିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବରେ ନିଯୁକ୍ତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ଗତକାଲି ଶ୍ରୀ କମ୍ଭମପତି ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ସହ ସ୍ଵାଗତ କରିଥିଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ମଣ୍ଡଳର ସଦସ୍ୟ। ସେଠାରୁ ସେ ପୁରୀ ଯାଇଥିଲେ। ସନ୍ଧ୍ୟାରେ ସପରିବାର ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ ସହ ସାନିଧ୍ୟ ଲାଭ କରିଛନ୍ତି କମ୍ଭମପତି। ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସହ ମା ବିମଳା, ମହାଲକ୍ଷ୍ମୀ ମନ୍ଦିର ସମେତ ମୁକ୍ତିମଣ୍ଡପ ଯାଇ ଆଶିଷ ନେଇଥିବା ବେଳେ ଭିତର ବେଢ଼ା ମଧ୍ୟ ପରିକ୍ରମା କରିଛନ୍ତି। ଓଡ଼ିଶାର ବିକାଶ ଓ ରାଜ୍ୟବାସୀଙ୍କ ଉନ୍ନତି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଗତକାଲି ପୁରୀ ରାଜଭବନରେ ରାତ୍ରିଯାପନ ପରେ ଆଜି ଭୁବନେଶ୍ଵର ଫେରିଥିଲେ । ତା'ପରେ ରାଜଭବନରେ ପହଞ୍ଚି ଶପଥ ଗ୍ରହଣ କରିଥିଲେ ଶ୍ରୀ କମ୍ଭମପତି ।












Click it and Unblock the Notifications