ରାତି ପାହିଲେ ନୂଆବର୍ଷ: ଜଗା ଦର୍ଶନ ପାଇଁ ପୁରୀରେ ଅସମ୍ଭାଳ ଭିଡ଼; ଜନସମୁଦ୍ର ପାଲଟିଛି ଶ୍ରୀମନ୍ଦିର
ରାତି ପାହିଲେ ନୂଆବର୍ଷ । ବର୍ଷର ଶେଷ ଦିନ ଓ ବର୍ଷର ଆରମ୍ଭରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ସଭିଙ୍କ ମନରେ ଭରପୁର ଆଶା । ଆଉ ଏଥିପାଇଁ ପୁରୀରେ ଅସମ୍ଭାଳ ଭିଡ଼। ଜନସମୁଦ୍ର ପାଲଟିଛି ବଡଦାଣ୍ଡ । ସମୟ ଯେତେ ବଢୁଛି, ଭିଡ଼ ବି ସେତିକି ବଢୁଛି ।
ମାର୍କେଟ ଛକ ଯାଏଁ ଲମ୍ବା ବ୍ୟାରିକେଡ୍ ହୋଇଛି । ଆଜିଠୁ ଆହୁରି ଭିଡ଼ ହେବା ଆଶଙ୍କା କରାଯାଉଛି । ଆଜି ଓ ଆସନ୍ତାକାଲି କେବଳ ସିଂହଦ୍ୱାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ ।
ଆଜିଠୁ ଦୁଇ ଦିନ ମାର୍କେଟ ଛକଠାରୁ ନୋ ଭେହିକିଲ୍ ଜୋନ୍ ହେବ। ଶାନ୍ତିଶୃଙ୍ଖଳା ନିମନ୍ତେ ମୁତୟନ ହୋଇଛନ୍ତି ୬୦ ପ୍ଲାଟୁନ ଫୋର୍ସ । ସେହିପରି ଟ୍ରାଫିକ କଣ୍ଟ୍ରୋଲ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଭୁବନେଶ୍ୱର, କୋଣାର୍କ ଓ ବ୍ରହ୍ମଗିରି ପଟରୁ ଆସୁଥିବା ଗାଡ଼ି ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରିଛି ପ୍ରଶାସନ ।

ଅତ୍ୟଧିକ ଭିଡ଼ ଯୋଗୁ ଗତକାଲି ବଡ଼ଦାଣ୍ଡରେ ଠେଲାପେଲା ପରିସ୍ଥିତି ଉପୁଜିଥିବା ବେଳେ ୧୦ ଜଣ ତଳେ ପଡ଼ି ଆହତ ହୋଇଥିଲେ ।
ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହୁଛନ୍ତି ଶ୍ରଦ୍ଧାଳୁ। ଭିଡ଼ ନିୟନ୍ତ୍ରଣ କରିବାକୁ ନାକେଦମ୍ ପୁଲିସ । ବର୍ଷ ଶେଷରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଏଭଳି ଜନସମାଗମ ହୋଇଛି। ରାଜ୍ୟ ଓ ସାରା ଦେଶରୁ ଲୋକେ ଆସି ପହଞ୍ଚୁଛନ୍ତି ।
ଆଜି ସକାଳୁ ଅର୍କକ୍ଷେତ୍ର କୋଣାର୍କରେ ବର୍ଷର ଶେଷ ସୂର୍ଯ୍ୟୋଦୟ ଦେଖିବା ପାଇଁ ଚନ୍ଦ୍ରଭାଗାରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ଦୂରଦୂରନ୍ତରୁ ପର୍ଯ୍ୟଟକ ମାନେ ଆସି ଭୋର ୫ଟାରୁ ଆସି ଚନ୍ଦ୍ରଭାଗା ମହୋଦଧି କୂଳରେ ପହଞ୍ଚିଥିଲେ । ବର୍ଷର ଶେଷ ସୂର୍ଯ୍ୟୋଦୟକୁ ଦେଖିବା ପାଇଁ ସମସ୍ତେ ଅପେକ୍ଷା କରିଥିଲେ । କେହି କେହି ଶ୍ରଦ୍ଧାଳୁ ଦୀପ ଜାଳି ମହାପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ବନ୍ଦନା କରୁଥିବା ଦେଖିବାକୁ ମିଳିଥିଲା ।












Click it and Unblock the Notifications