ବଡ ସାଂଘାତିକ୍ ତଥ୍ୟ, ଓଡ଼ିଶାରେ ଅଧା ଡାକ୍ତର ନକଲି
ପ୍ରଥମେ ଔଷଧ ନକଲି । ଏବେ ଓଡିଶାରେ ଡାକ୍ତର ନକଲି । ଗତାକାଲି ସାମ୍ନାକୁ ଆସିଛି ଏମିତି କିଛି ସାଂଘାତିକ୍ ତଥ୍ଯ । ଯାହା ଆପଣଙ୍କୁ କେବଳ ବିଚଳିତ ନୁହେଁ, ଆପଣଙ୍କୁ ଦୋହଲାଇ ଦେବ ।
କଟକ: ପ୍ରଥମେ ଔଷଧ ନକଲି । ଏବେ ଓଡିଶାରେ ଡାକ୍ତର ନକଲି । ଗତାକାଲି ସାମ୍ନାକୁ ଆସିଛି ଏମିତି କିଛି ସାଂଘାତିକ୍ ତଥ୍ଯ । ଯାହା ଆପଣଙ୍କୁ କେବଳ ବିଚଳିତ ନୁହେଁ, ଆପଣଙ୍କୁ ଦୋହଲାଇ ଦେବ । ଆପଣ ଚିକିତ୍ସା କରାଉଥିବା ଡାକ୍ତର ଜଣଙ୍କ ଅସଲି ନା ନକଲି, ତାହା ଏବେ ଚିନ୍ତା ବଢାଇବ ଆପଣଙ୍କ ପାଇଁ ।

କାରଣ ରାଜ୍ୟରେ ଏବେ ଉପଯୁକ୍ତ ଡିଗ୍ରୀ ବା ଶିକ୍ଷାଗତ ଯୋଗ୍ୟତା ନ ଥିବା ବ୍ୟକ୍ତି ଡାକ୍ତର ଭାବେ ରୋଗୀ ଚିକିତ୍ସା କରୁଛନ୍ତି । ରାଜ୍ୟରେ ମାତ୍ର ୫୧ ପ୍ରତିଶତ ଡାକ୍ତରଙ୍କର ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ରହିଛି । ବିଶ୍ୱବ୍ୟାଙ୍କ ପକ୍ଷରୁ ଦେଶବ୍ୟାପୀ କରାଯାଇଥିବା ସର୍ଭେରୁ ଆସିଛି ଏହି ଭଳି ସାଂଘାତିକ ତଥ୍ୟ । ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଏସଂପର୍କରେ ସୂଚନା ଦେବାପରେ ହାଇକୋର୍ଟ ଏହାକୁ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି।
ବୁଧବାର ନକଲି ଡାକ୍ତର ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ହାଇକୋର୍ଟରେ ଏହି ତଥ୍ୟ ଉପସ୍ଥାପନ କରାଯାଇଛି। ଏହା ଜାଣିବା ପରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍ ମୁରଲୀଧର ଓ ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଏହା ସହିତ ରାଜ୍ୟର ସମସ୍ତ ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ କରିବାକୁ ଖଣ୍ଡପୀଠ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ପାଇଁ କଣ ବ୍ୟବସ୍ଥା ବା ନିୟମ କରାଯିବ ? କେତେ ଦିନ ଭିତରେ ଏହି ପ୍ରକ୍ରିୟା ଶେଷ ହେବ ? ଉପଯୁକ୍ତ ଡିଗ୍ରୀ/ଯୋଗ୍ୟତା ନଥାଇ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ବା ନିଯୁକ୍ତି ହାସଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ? ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ସତ୍ୟପାଠ ଦାଖଲ ପାଇଁ ସ୍ବାସ୍ଥ୍ୟ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରୀ ୨୭ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଉଲ୍ଲେଖ ଯୋଗ୍ୟ ପୂର୍ବରୁ ହାଇକୋର୍ଟରେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଯେ ଏମବିବିଏସ ଡିଗ୍ରି ନଥିବା ବ୍ୟକ୍ତି ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ। ଏହା ଏକ ଗୁରୁତ୍ବପୂର୍ଣ୍ଣ ତ୍ରୁଟି ଓ ଏଥି ପାଇଁ ଏପରି ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇଥିବା ଚୟନ କମିଟି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ହାଇକୋର୍ଟ ୨୦୨୨, ଅଗଷ୍ଟ ୨୫ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।












Click it and Unblock the Notifications