ଘରକୁ ବାହୁଡ଼ିଛନ୍ତି ହବିଷ୍ୟାଳି; ସାଥୀରେ ନେଇ ଯାଇଛନ୍ତି ମାସବ୍ୟାପୀ ସୁଖଦୁଃଖ, ଆଉ କହୁଥିଲେ ବଞ୍ଚିଥିଲେ ଆର ବର୍ଷକୁ ...
ଘରକୁ ବାହୁଡ଼ିଛନ୍ତି ହବିଷ୍ୟାଳି । ସାଥୀରେ ନେଇ ଯାଇଛନ୍ତି ମାସବ୍ୟାପୀ ସୁଖଦୁଃଖ ଅନୁଭୂତି ଏବଂ ଯୋଡ଼ି ହୋଇଥିବା ନୂଆ ସଂପର୍କ । ଜଗାକୁ ଛାଡ଼ିଯିବାକୁ ଇଚ୍ଛା ନଥିଲେ ବି ସମୟ ଫେରିବାର ଡାକରା ଦେଇଛି । ମୋହମାୟା ତୁଟାଇ ସାଂସାରିକ ଜୀବନଠାରୁ ଦୂରରେ ବିତେଇଥିବା ସେ ମୁହୂର୍ତ୍ତ ସବୁ ସ୍ମୃତି ପାଲଟିଛି । ସେଇ ସାଇତା ସ୍ମୃତିକୁ ସାଥି କରି ଲୁହ ଭିଜା ଆଖିରେ ହବିଷ୍ୟାଳି ଶିବିରରୁ ବିଦାୟ ନେଇଛନ୍ତି ହବିଷ୍ୟାଳି ମା' ।
ବୁଧବାର ପାହାନ୍ତାରୁ ହବିଷ୍ୟାଳିମାନେ ଘରକୁ ଫେରିବା ଆରମ୍ଭ କରିଥିଲେ । ନରେନ୍ଦ୍ର ପୁଷ୍କରିଣୀରେ ଡଙ୍ଗା ଭସାଇ ମା'ମାନେ ଘରକୁ ଯିବା ପାଇଁ ନିଜ କକ୍ଷ ଖାଲି କରିଥିଲେ । ଅଧିକାଂଶ ହବିଷ୍ୟାଳିଙ୍କୁ ନେବାକୁ ତାଙ୍କ ଘର ଲୋକ ଶିବିର ବାହାରେ ଭିଡ଼ ଜମାଇଥିଲେ । ଅନେକ ନିଜେ ଗାଡ଼ି କରି ଘରକୁ ଯାଇଥିଲେ । ହବିଷ୍ୟାଳିଙ୍କ ଆସବାବପତ୍ର ବୋହିବାରେ ସ୍ୱେଚ୍ଛାସେବୀ ସହଯୋଗ କରିଥିଲେ । ସମସ୍ତ ଜିନିଷ ଧରି ଶିବିର ମଧ୍ୟରେ ଥିବା କଣ୍ଟ୍ରୋଲ ରୁମ୍ରେ ନିଜର ଆଇ କାର୍ଡ ଜମା ପରେ ହବିଷ୍ୟାଳିଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯାଇଥିଲା । ହବିଷ୍ୟାଳିଙ୍କ ସଂପର୍କୀୟଙ୍କୁ ଶିବିର ଭିତରକୁ ଆସିବାକୁ ଅନୁମତି ମିଳିନଥିଲା । ସେମାନେ ଗେଟ୍ ବାହାରେ ରହି ନିଜ ସଂପର୍କୀୟଙ୍କୁ ନେବାକୁ ଅପେକ୍ଷା କରିଥିଲେ । ସମସ୍ତ ହବିଷ୍ୟାଳିଙ୍କର ଲଗେଜ୍ଗୁଡ଼ିକୁ ସୁରକ୍ଷାକର୍ମୀ ତନଖି କରି ଶିବିର ବାହାରକୁ ଛାଡ଼ିଥିଲେ ।

ମଙ୍ଗଳବାର ରାତି ୧୨ଟାରୁ ଶିବିରରେ ରହୁଥିବା ଅନେକ ହବିଷ୍ୟାଳି ବାହାରକୁ ଆସି ଡଙ୍ଗା ଭସାଇବାକୁ ଜିଦ୍ କରିଥିଲେ । ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ଗେଟ୍ ଖୋଲାଯାଇନଥିଲା । ରାତି ପାଖାପାଖି ୩ଟା ବେଳକୁ ଶିବିରର ଗେଟ୍ ଖୋଲାଯାଇ ହବିଷ୍ୟାଳିଙ୍କୁ ଡଙ୍ଗା ଭସାଇବାକୁ ଅନୁମତି ଦିଆଯାଇଥିଲା । ବୃନ୍ଦାବତୀ ନିବାସ ଶିବିରଠାରୁ ନରେନ୍ଦ୍ର ପୁଷ୍କରିଣୀ ନିକଟତର ହୋଇଥିବାରୁ ଏଠାରେ ରହୁଥିବା ହବିଷ୍ୟାଳିଙ୍କୁ ଡଙ୍ଗା ଭସାଇବାକୁ ଅନୁମତି ଦିଆଯାଇଥିଲା । ଅନ୍ୟ ସମସ୍ତ ଶିବିରଠାରୁ ତୀର୍ଥ ପୁଷ୍କରିଣୀଗୁଡ଼ିକ ଦୂରରେ ଥିବାରୁ ଏଠାରେ ଥିବା ହବିଷ୍ୟାଳି ଶିବିର ଭିତରେ କୁଣ୍ଡରେ ଡଙ୍ଗା ଭସାଇଥିଲେ । ସମୁଦ୍ରକୁ ଡଙ୍ଗା ଭସାଇବା ପାଇଁ ଛାଡ଼ିବାକୁ ହବିଷ୍ୟାଳିମାନେ ଜିଦ୍ କରିଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଛଡ଼ାଯାଇନଥିଲା । ଘର ଲୋକ ଆସିବା ପରେ ଅନେକ ହବିଷ୍ୟାଳି ସେମାନଙ୍କ ସାଥୀରେ ଯାଇ ଡଙ୍ଗା ଭସାଇବାର ସୁଯୋଗ ପାଇଥିଲେ ।
ଶିବିରରେ ଅନ୍ତିମ ଦିବସରେ ମଧ୍ୟ ହବିଷ୍ୟାଳିମାନେ ଚଉରା ପୂଜା କରିବାକୁ ଭୁଲି ନଥିଲେ । ଅଧିକାଂଶ ହବିଷ୍ୟାଳି ସବୁଦିନ ଭଳି ଝୋଟି ମୁରୁଜ ପକାଇ କାର୍ତ୍ତିକ ବହି ପଢ଼ି ଚଉରା ପୂଜା ସାରି ନିଜ ନିଜ ଘରକୁ ଫେରିଥିଲେ । ହବିଷ୍ୟାଳି ମା'ମାନେ ଶିବିରରୁ ବିଦାୟ ନେବା ବେଳେ କୋହଭରା ସ୍ଥିତି ସୃଷ୍ଟି ହୋଇଥିଲା । କିଏ ଶିବିରରେ ଥିବା ନିଜର ବନ୍ଧୁଙ୍କୁ କୁଣ୍ଢାଇ କାନ୍ଦୁଥିଲା ତ କିଏ ସ୍ୱେଚ୍ଛାସେବୀ ମା'ମାନଙ୍କୁ ଧରି ବାହୁନୁଥିଲା । ଆଉ କିଏ କାଗଜରେ ଫୋନ ନମ୍ବର ଟିପି ନେଉଥିଲା ।ଆଉ କହୁଥିଲେ ବଞ୍ଚିଥିଲେ ଆର ବର୍ଷକୁ ..












Click it and Unblock the Notifications