ଚିନ୍ତା ବଢାଇଲାଣି H3N2: ସତର୍କ କଲା ସ୍ୱାସ୍ଥ୍ୟ ବିଭାଗ
ଓଡିଶାରେ ବୃଦ୍ଧି ପାଉଥିବା H3N2 ଭାଇରସ ସଂକ୍ରମିତ ଚିହ୍ନଟ ହେବା ପରେ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ମାସ୍କ ପିନ୍ଧିବା, ଛିଙ୍କିବା ବେଳେ ରୁମାଲ ବ୍ୟବହାର କରିବା ଓ ପ୍ରଚୁର ପରିମାଣର ପାଣି ପିଇବା ପାଇଁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ୱର: ଓଡିଶାରେ ବୃଦ୍ଧି ପାଉଥିବା H3N2 ଭାଇରସ ସଂକ୍ରମିତ ଚିହ୍ନଟ ହେବା ପରେ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ମାସ୍କ ପିନ୍ଧିବା, ଛିଙ୍କିବା ବେଳେ ରୁମାଲ ବ୍ୟବହାର କରିବା ଓ ପ୍ରଚୁର ପରିମାଣର ପାଣି ପିଇବା ପାଇଁ ପରାମର୍ଶ ଦିଆଯାଇଛି । କହିରଖୁ କି, ରାଜ୍ୟରେ ୫୯ ଜଣ ଏଚ୍୩ଏନ୍୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ଭାଇରସ ସଂକ୍ରମଣର ଦ୍ରୁତ ବୃଦ୍ଧିକୁ ନଜରରେ ରଖି ରବିବାର ପ୍ରତ୍ୟେକ ଜିଲ୍ଲା ପ୍ରଶାସନକୁ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଏହା ସହିତ ସ୍ୱାସ୍ଥ୍ୟ ସୁବିଧା ଏବଂ ସାମୁଦାୟିକ ସ୍ତରରେ ଇନଫ୍ଲୁଏଞ୍ଜା ପରି ରୋଗ ଓ ଶ୍ୱାସକ୍ରିୟା ସଂକ୍ରମଣ ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହି H1N1 ଏବଂ H3N2 ଇନଫ୍ଲୁଏଞ୍ଜା 'ଏ' ଭାଇରସର ସବ୍ ଭାରିଆଣ୍ଟ ବୋଲି କହିଛି ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ।
ସେପଟେ ଦେଶର ବିଭିନ୍ନ ରାଜ୍ୟରେ ଏଚ୩ଏନ୨ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତେଣୁ ସତର୍କ ରହିବାକୁ ରାଜ୍ୟଗୁଡିକୁ ପରାମର୍ଶ ଦେଇଛି କେନ୍ଦ୍ର । ମୁକାବିଲା କରିବା ପାଇଁ କୋଭିଡ ବିରୋଧୀ ୫ ସୂତ୍ରୀ କାର୍ଯ୍ୟକ୍ରମ ଚାଲୁ ରଖିବାକୁ କୁହାଯାଇଛି । ଟେଷ୍ଟ, ଟ୍ରାକ, ଟ୍ରିଟମେଣ୍ଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ମେଡିକାଲ ବେଡ୍ ଓ ଅକ୍ସିଜେନ୍ ସିଲିଣ୍ଡର ମହଜୁଦ ରଖିବାକୁ କୁହାଯାଇଛି । ଏହା ଋତୁକାଳୀନ ଇନଫ୍ଲୁଏଞ୍ଜା ଓ ଚଳିତ ମାସ ଶେଷ ସୁଦ୍ଧା ହ୍ରାସ ପାଇବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।












Click it and Unblock the Notifications