ଗୁଣ୍ଡିଚା ମନ୍ଦିର ଦଳାଚକଟା ଘଟଣା;ଏସିଏଫ୍ଙ୍କୁ ନୋଟିସ୍
ପୁରୀ ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ହୋଇଥିବା ଦଳଚକଟା ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଘଟଣା ଦିନ କଣ୍ଟ୍ରୋଲ ରୁମ୍ ଦାୟିତ୍ୱରେ ଥିବା ସହକାରୀ ବନ ରକ୍ଷକ ବା ଏସସିଏଫ୍ ଅଶୋକ ବେହେରାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିଶ ହୋଇଛି ।
ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ରିପୋର୍ଟ ଆଧାରରେ ୨୯ ଜୁନ୍ ୨୦୨୫ରେ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ହୋଇଥିବା ଦଳାଚକଟା ମାମଲାରେ ଏସିଏଫ୍ ଅଶୋକ ବେହେରା କଣ୍ଟ୍ରୋଲ ରୁମ ଦାୟିତ୍ୱରେ ଥିଲେ । କାର୍ଯ୍ୟରେ ଅବହେଳା ପାଇଁ ଏସିଏଫଙ୍କ ବିରୁଦ୍ଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୃହ ବିଭାଗର ଅତିରିକ୍ତ ସଚିବ ସୌମେନ୍ଦ୍ର ପାତ୍ର ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ୩୦ ଦିନ ଭିତରେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ଆଉ ୪ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି । ଜଣେ ସହକାରୀ ଜିଲ୍ଲାପାଳ, ୨ ଅତିରିକ୍ତ ତହସିଲଦାର ଓ ପୁରୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗ ସମ୍ପୃକ୍ତ ବିଭାଗଗୁଡ଼ିକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି ।
ସୂଚନାଯୋଗ୍ୟ, ଗତ ଜୁନ୍ ୨୯ ତାରିଖରେ ଶରଧାବାଲି ରଥ ସମ୍ମୁଖରେ ଦଳାଚକଟାରେ ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର ତଦନ୍ତ ରିପୋର୍ଟକୁ ଗତ ଜୁଲାଇ ୩୧ ତାରିଖରେ ଉନ୍ନୟନ କମିସନର ଅନୁ ଗର୍ଗ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରିଥିଲେ। ଏହି ଘଟଣାରେ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ତଦନ୍ତ ଚାଲିଥିଲା। ମାସକ ମଧ୍ୟରେ ରିପୋର୍ଟ ଦେବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ।

ତଦନ୍ତରେ ଉନ୍ନୟନ କମିସନରଙ୍କୁ ୪ ଜଣ ବରିଷ୍ଠ ଓଏଏସ୍ ଅଧିକାରୀ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ମାନସ କୁମାର ସାମଲ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ବିନୟ କୁମାର ଦାଶ, ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ରଶ୍ମିରଂଜନ ନାୟକ ଓ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ପ୍ରଦୀପ କୁମାର ସାହୁ ସହଯୋଗ କରିଥିଲେ। ଏହି ଘଟଣା ପାଇଁ କିଏ ଦାୟୀ, ବ୍ୟବସ୍ଥାଗତ ବିଫଳତା, ଏହାକୁ କିପରି ଏଡ଼ାଯାଇପାରିଥାନ୍ତା, ଆଗାମୀ ଦିନରେ କିପରି ଏଭଳି ଅଘଟଣ ନ ଘଟିବ, ସେ ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ରିପୋର୍ଟରେ ଦର୍ଶାଯାଇଛି। ଶ୍ରୀମତୀ ଗର୍ଗ ପ୍ରାୟ ୨ ହଜାର ପୃଷ୍ଠାର ତଦନ୍ତ ରିପୋର୍ଟ ସହ ଏକ ସଂକ୍ଷିପ୍ତ ବିବରଣୀ ପୁସ୍ତିକା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି।












Click it and Unblock the Notifications