ଗୁଡ୍ଡୁ ମୁସଲିମର ଅଛି ବରଗଡ଼ ଲିଙ୍କ: ସ୍ପଷ୍ଟ କଲେ ଡିଜିପି, ଦୁଇ ଦିନ ତଳେ ଖୋଜିବାକୁ ଆସିଥିଲା ୟୁପି STF
ଭୁବନେଶ୍ୱର: ସାମ୍ନାକୁ ଆସୁଛି ଗୁଡ୍ଡୁ ମୁସଲିମର ଓଡ଼ିଶା ଲିଙ୍କ । ଦୁଇ ଦିନ ତଳେ ୟୁପି ଏସଟିଏଫ୍ ଟିମ୍ ବରଗଡ ଆସି ରାଜା ଖାନ୍ ନାମକ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରିଛି । ଏନେଇ ଓଡ଼ିଶା ପୋଲିସକୁ ୟୁପି ପୋଲିସ ସହାୟତା ମାଗିଥିଲା ବୋଲି କହିଛନ୍ତି ପୋଲିସ ଡିଜି ।
ରାଜା ଖାନ ହେଉଛନ୍ତି ସୁନ୍ଦରଗଡ଼ର ବାସିନ୍ଦା । ସେ ଦୀର୍ଘଦିନ ହେବ ବରଗଡ଼ ଜିଲ୍ଲାରେ ରହି ବ୍ୟବସାୟ କରୁଛନ୍ତି । ରାଜାଙ୍କ ସହ ଗୁଡୁ ମୁସଲିମର ଡ୍ରାଇଭର କେତେ ଦିନର ସମ୍ପର୍କ ? ବ୍ୟବସାୟିକ ସମ୍ପର୍କ ଥିଲା ନ ଆଉ କିଛି ସମ୍ପର୍କ ରହିଥିଲା ? ରାଜା କେବେ ଉତ୍ତର ପ୍ରଦେଶ ଯାଇଛନ୍ତି କି ? ରାଜାଙ୍କ ନାଁରେ ଥାନାରେ ମାମଲା ଅଛି କି ? ସେନେଇ ପୋଲିସ ତନାଘନା ଚଲାଇଛି ।

ୟୁପିର ଏସ୍ଟିଏଫ୍ ଟିମ୍ ବରଗଡ଼ ଆସିଥିବା ନେଇ ପୋଲିସ ଡିଜି ସୁନୀଲ ବଂଶଲ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ଆମକୁ ସେମାନେ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ। ଆମ ପ୍ରୋଟୋକଲ ଅନୁଯାୟୀ, ଆମେ ତାଙ୍କୁ ସାହାଯ୍ୟ ଦେଇଛୁ । ଉମେଶ ପାଲ ହତ୍ୟାକାଣ୍ଡ ଘଟଣାର ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ଗୁଡୁ ମୁସଲିମ୍ ଅନ୍ୟତମ । ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣ ପ୍ରାଣ ହରାଇଥିବା ବେଳେ ଗୁଡୁ ମୁସଲିମ ସମେତ ଆଉ ୪ ଅଭିଯୁକ୍ତ ଏବେ ଫେରାର ଅଛନ୍ତି । ଗୁଡୁ ମୁସଲିମକୁ ଧରିବା ପାଇଁ ପୋଲିସ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି ।
ସେହିପରି ବରଗଡ଼ ଏସ୍ପି ପ୍ରହ୍ଲାଦ ସାହାଇ ମୀନା କହିଛନ୍ତି, ଗୁଡ୍ଡୁ ମୁସଲିମ୍ ଲିଙ୍କ୍ରେ ୟୁପିର ଏସଟିଏଫ ଟିମ୍ ବରଗଡ଼ ଆସିଥିଲେ । ୫ ଜଣିଆ ଟିମ୍ ୧୮ ତାରିଖରେ ବରଗଡ଼ ଆସିଥିଲେ। ଦୁଇ ଦିନ ଯାଏ ବରଗଡ଼ରେ ରହି ଜଣେ ବ୍ୟକ୍ତିକୁ ଜେରା କରିଥିଲେ। ୧୮ ଓ ୧୯ ଦୁଇ ଦିନ ରହିବା ପରେ ଗତକାଲି ଏଠାରୁ ଯାଇଥିଲେ। ବରଗଡ଼ ଆସିବା ପରେ STF ଟିମ୍ ଆମକୁ ଅବଗତ କରିଥିଲେ।
ସେହିପରି ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର କହିଛନ୍ତି, ଭେରିଫିକେସନ ପାଇଁ ୟୁପିର ଏସ୍ଟିଏଫ୍ ଟିମ୍ ବରଗଡ଼ ଆସିଥିଲେ। ଜଣେ ଲୋକକୁ ଜେରା କରିଛନ୍ତି । ଆଇନ ଅନୁସାରେ ଭେରିଫିକେସନ ପାଇଁ ସହାୟତା କରିଥିଲୁ ।












Click it and Unblock the Notifications