HDFC, ICICI, ଆକ୍ସିସ୍ ବ୍ୟାଙ୍କ୍ ଉପରୁ କଟକଣା ହଟାଇଲେ ସରକାର
ଓଡ଼ିଶା ସରକାର ତିନୋଟି ଘରୋଇ ବ୍ୟାଙ୍କ-ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କଙ୍କୁ ରାଜ୍ୟ ସରକାରୀ ସଂସ୍ଥା ଓ ବିଭାଗମାନଙ୍କର ବ୍ୟବସାୟ ଏବଂ ଜମା ରାଶି ପରିଚାଳନା ପାଇଁ ପ୍ୟାନେଲଭୁକ୍ତ ବ୍ୟାଙ୍କ ତାଲିକାରୁ ବାଦ ଦେବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି। ଏ ସମ୍ପର୍କରେ ଅର୍ଥ ବିଭାଗ ଆଜି ଏକ ବିଜ୍ଞପ୍ତି ଜାରି କରିଛି।
ବିଜ୍ଞପ୍ତି ଅନୁଯାଇ, ଏହି ତିନୋଟି ଘରୋଇ ବ୍ୟାଙ୍କ ଏବେ ରାଜ୍ୟ ସରକାରୀ ସଂସ୍ଥା, ବିଭାଗ, ନିର୍ଦ୍ଦେଶାଳୟ, ପିଏସୟୁ, ସମାଜ ଓ ବିଶ୍ୱବିଦ୍ୟାଲୟମାନଙ୍କର ବ୍ୟବସାୟ ଏବଂ ଜମା ରାଶି ପରିଚାଳନା ପାଇଁ ପ୍ୟାନେଲଭୁକ୍ତ ବ୍ୟାଙ୍କ ଭାବେ ଜାରି ରହିବେ।

ଗତ ଜୁନ ୨୧ ତାରିଖରେ ଅର୍ଥ ବିଭାଗ ଏହି ତିନୋଟି ବ୍ୟାଙ୍କଙ୍କୁ ରାଜ୍ୟ ସରକାରୀ ସଂସ୍ଥାମାନଙ୍କର ବ୍୯ୟବସାୟ ଓ ଜମା ରାଶି ପରିଚାଳନା ପାଇଁ ପ୍ୟାନେଲଭୁକ୍ତ ତାଲିକାରୁ ବାଦ ଦେଇଥିଲା। ଏହାର କାରଣ ଥିଲା ସରକାରୀ ପ୍ରମୁଖ ଯୋଜନାଗୁଡ଼ିକରେ ନିରନ୍ତର ଖରାପ ପ୍ରଦର୍ଶନ ଏବଂ ସାଧାରଣ ବ୍ୟାଙ୍କିଙ୍ଗ ମାନଦଣ୍ଡରେ ଅସନ୍ତୋଷଜନକ ଫଳାଫଳ। ଅର୍ଥ ବିଭାଗ ସମସ୍ତ ରାଜ୍ୟ ସରକାରୀ ବିଭାଗଙ୍କୁ ଏହି ତିନୋଟି ବ୍ୟାଙ୍କରେ ଥିବା ସେଭିଙ୍ଗ, କରେଣ୍ଟ ଓ ଅନ୍ୟାନ୍ୟ ଚାଲୁ ଆକାଉଣ୍ଟଗୁଡ଼ିକୁ ତୁରନ୍ତ ବନ୍ଦ କରି ଅନ୍ୟ କୌଣସି ପ୍ୟାନେଲଭୁକ୍ତ ବ୍ୟାଙ୍କକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲା।












Click it and Unblock the Notifications