ଅଣ-ସଂଗଠିତ ସେକ୍ଟର ମଟର କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ସରକାରୀ ଉଦ୍ୟମ ଆରମ୍ଭ
ଅଣ-ସଂଗଠିତ କ୍ଷେତ୍ରରେ କାମ କରୁଥିବା ମଟର ଚାଳକ ଏବଂ ମଟର କର୍ମଚାରୀମାନଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ନୂଆ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି ।
ଭୁବନେଶ୍ୱର: ଅଣ-ସଂଗଠିତ କ୍ଷେତ୍ରରେ କାମ କରୁଥିବା ମଟର ଚାଳକ ଏବଂ ମଟର କର୍ମଚାରୀମାନଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ନୂଆ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଲୋକସେବା ଭବନ ସଭାଗୃହରେ ଆୟୋଜିତ ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏ ସମ୍ବନ୍ଧିତ ଆର୍ଥିକ ଓ ଆଇନଗତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।
ବୈଠକରେ ଉପସ୍ଥିତ ପ୍ରସ୍ତାବଗୁଡିକୁ ବିଚାରକରି ମଟର କର୍ମଚାରୀ କଲ୍ୟାଣ ସମଗ୍ରିକ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ । ଏଥି ପାଇଁ ଓଡ଼ିଶା ମୋଟର ଟ୍ରାନ୍ସ୍ପୋର୍ଟ କର୍ମଚାରୀ ନିୟମ ପରିପ୍ରେକ୍ଷୀରେ ଏକ ସବିଶେଷ ଚିଠା-କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ମଟର କର୍ମଚାରୀମାନଙ୍କ କଲ୍ୟାଣ କାର୍ଯ୍ୟକ୍ରମ ନିମନ୍ତେ ଆବଶ୍ୟକ ହେଲେ ପ୍ରଚଳିତ ପୁରୁଣା ନିୟାମକରେ ଆବଶ୍ୟକୀୟ ସଂଶୋଧନ ଆଣିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ କହିଥିଲେ ।

ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ପରିବହନ ଆୟୁକ୍ତ ଅରୁଣ ବୋଥ୍ରାଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶ୍ରମ ଓ କର୍ମଚାରୀ ରାଜ୍ୟ-ବୀମା ବିଭାଗ ଶାସନ ସଚିବ ଚିତ୍ରା ଅରୁମୁଗମ୍, ଶ୍ରମ ଆୟୁକ୍ତ ଡ଼ାକ୍ତର ଥିରୁମାଲା ନାୟକ ମଧ୍ୟ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ ।












Click it and Unblock the Notifications