ରାଜ୍ୟରେ ଲଘୁ ଖଣିଜ ଉପରେ ଅତିରିକ୍ତ ଶୁଳ୍କ ବଢାଇଲେ ସରକାର
ରାଜ୍ୟରେ ବାଲି, ଗୋଡି, ମୋରମ ଓ ପଥର ଭଳି ଲଘୁ ଖଣିଜ ସମ୍ପଦର ଚୋରାଚାଲାଣ ରୋକିବା ଦିଗରେ ରାଜ୍ୟ ସରକାର ନୂଆ ବାଟ ତିଆରି କରିଛନ୍ତି। ଏହି ସମସ୍ତ ଖଣିଜ ସମ୍ପଦ ଉପରେ ଦୀର୍ଘବର୍ଷ ଧରି ରହିଥିବା ଏକଚାଟିଆ କୃତ୍ରିମ ଦରବୃଦ୍ଧିରେ ବ୍ରେକ୍ ଲଗାଇବାକୁ ରାଜ୍ୟ ସରକାର ଓଡ଼ିଶା ଲଘୁ ଖଣିଜ ରିହାତି(ସଂଶୋଧନ) ନିୟମ-୨୦୨୫ ଗାଇଡ୍ଲାଇନ ପ୍ରଣୟନ କରିଛନ୍ତି। ଏହି ସଂଶୋଧିତ ନିୟମ ମାଧ୍ୟମରେ ରାଜ୍ୟରେ ଲଘୁ ଖଣିଜ ସମ୍ପଦର ଲିଜ୍ ପାଇଁ ଖୋଲା ଟେଣ୍ଡର ପରିବର୍ତ୍ତେ ଇ-ଲଟେରି ବ୍ୟବସ୍ଥା, ସର୍ବାଧିକ ବିକ୍ରୟ ମୂଲ୍ୟ ନିର୍ଦ୍ଧାରଣ ସହିତ ଜଣେ ବ୍ୟକ୍ତି ବା ପରିବାର ପାଇଁ ଲିଜ୍ ସୀମା ଧାର୍ଯ୍ୟ କରିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ସୋମବାର ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ବଜାରରେ ବାଲି ଓ ପଥରର ଚଢ଼ା ଦରକୁ ରୋକିବା ସକାଶେ ସରକାର ପ୍ରଥମ କରି ସର୍ବାଧିକ ବିକ୍ରୟ ମୂଲ୍ୟ ଧାର୍ଯ୍ୟ କରିଛନ୍ତି। ଲିଜ୍ଧାରୀମାନେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟରୁ ଅଧିକ ଟଙ୍କା ଗ୍ରାହକଙ୍କଠାରୁ ନେଇପାରିବେ ନାହିଁ। ଏହି ମୂଲ୍ୟରେ ଉତ୍ପାଦନ ଖର୍ଚ୍ଚ ଓ ଟିକସ ସହିତ କେବଳ ୧୫% ଲାଭ ରହିବ। ଏହାସହ ଲଘୁ ଖଣିଜ ପାଇଁ ଅତିରିକ୍ତ ଚାର୍ଜ ଏବେ ରୟାଲିଟିର ଠିକ୍ ଦୁଇଗୁଣା ହେବ। ଏହା ଆଉ ପୂର୍ବଭଳି ନିଲାମ ଡାକ ଉପରେ ନିର୍ଭର କରିବ ନାହିଁ ବରଂ ଏହା ଏକ ସ୍ଥିର ସରକାରୀ ଦେୟ ଭାବେ ଗଣତି ହେବ। ସମସ୍ତ ଖଣି ଅଞ୍ଚଳକୁ ଜିଓଃଫେନ୍ସିଂ କରାଯାଇ ସାଟେଲାଇଟ୍ ମାଧ୍ୟମରେ ବେଆଇନ ଖନନ ଉପରେ ନଜର ରଖାଯିବ। ଲିଜଧାରୀମାନେ ପ୍ରତ୍ୟେକ ୩ ମାସରେ ଥରେ ଅଗ୍ରିମ ଭାବେ ରୟାଲିଟି ଓ ଅତିରିକ୍ତ ଖର୍ଚ୍ଚ ପୈଠ କରିବାକୁ ପଡ଼ିବ। ଯଦି କୌଣସି ଦେୟ ବାକି ରହେ ତେବେ ବାର୍ଷିକ ୨୪ ପ୍ରତିଶତ ସୁଧ ହାରରେ ଜରିମାନା ଆଦାୟ କରାଯିବ। ଯଦି କୌଣସି ଲିଜ୍ଧାରୀ ପ୍ରଥମ ଥର ଲାଗି ଖିଲାପ କରନ୍ତି ତେବେ ୫୦ ହଜାର ଟଙ୍କା ଏବଂ ଦ୍ୱିତୀୟ ଥର କଲେ ଲିଜ୍ ରଦ୍ଦ ହେବ ଓ ସେମାନଙ୍କୁ କଳାତାଲିକାଭୁକ୍ତ କରାଯିବ। ଏହି ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଜିଲାପାଳ ଏବଂ ଖଣି ବିଭାଗର ଅଧିକାରୀମାନଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।












Click it and Unblock the Notifications