ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଅଫିସରଙ୍କ ତାଲିକାରେ ମୃତ ଅଧିକାରୀଙ୍କ ନାଁକୁ ବାଦ ଦେଲେ ସରକାର
ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ 17 ତାରିଖରେ ବହୁ ପ୍ରତିକ୍ଷିତ 'ସୁଭଦ୍ରା' ଯୋଜନା ସହ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ କରିବେ । ମୋଦିଙ୍କ ଗସ୍ତ ସମୟରେ ତାଙ୍କ ସୁରକ୍ଷା ନିମନ୍ତେ ବହୁ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ମୃତ ଓଏଏସ୍ ଅଧିକାରୀଙ୍କ ନାଁ ବି ସାମିଲ ହୋଇଥିଲା। ତେବେ ରାଜ୍ୟ ସରକାର ଏହି ନାଁକୁ ହଟାଇ ସେଠାରେ ଆଉ ଏକ ନୂଆ ନାଁ ସ୍ଥାନିତ କରିଛନ୍ତି।
ଗତ ୨୦୨୩ ଜୁଲାଇ ୧୮ ତାରିଖରେ ପ୍ରବୋଧ କୁମାରଙ୍କର ମୃତ୍ୟୁ ଘଟିଥିଲା। କଟକରେ ଏକ ଦୁର୍ଘଟଣାର ଶିକାର ହେବା ପରେ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ।
ମୋଦିଙ୍କ ଭୁବନେଶ୍ୱର ଗସ୍ତ କାର୍ଯ୍ୟକ୍ରମକୁ ସୁରୁଖୁରରେ ସମ୍ପାଦନ କରିବା ନିମନ୍ତେ ବିଭିନ୍ନ ଅଫିସରମାନଙ୍କୁ ବିଭିନ୍ନ ଦାୟିତ୍ବ ବଣ୍ଟନ କରାଯାଇଛି। ସାଧାରଣ ପ୍ରଶାସନ ପକ୍ଷରୁ ଅଫିସରଙ୍କ ତାଲିକା ପ୍ରସ୍ତୁତ ହୋଇଛି। ସେଥିରେ ରହିଛି ସ୍ୱର୍ଗତ ପ୍ରବୋଧ କୁମାର ରାଉତଙ୍କ ନାଁ । ଭିଡ଼ ନିୟନ୍ତ୍ରଣ ଲାଗି ନିୟୋଜିତ ହେବାକୁ ଥିବା ୫୦ ଜଣିଆ ଅଫିସରଙ୍କ ତାଲିକାରେ ପ୍ରବୋଧ କୁମାରଙ୍କ ନାଁ ଥିବା ଦେଖିବାକୁ ମିଳିଛି।

ସ୍ୱର୍ଗତ ପ୍ରବୋଧ କୁମାର ରାଉତଙ୍କର ବର୍ଷେ ହେବ ମୃତ୍ୟୁ ହୋଇ ସାରିଲାଣି। ତାଲିକାରୁ ସ୍ୱର୍ଗତ ପ୍ରବୋଧ କୁମାର ରାଉତଙ୍କ ନାଁକୁ ବାଦ ଦିଆଯାଇ ବରିଷ୍ଠ OAS ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ନାଁକୁ ସାମିଲ କରାଯାଇଛି।
ଓଡ଼ିଶା ଗସ୍ତରେ ଆସି 'ସୁଭଦ୍ରା' ଯୋଜନା ସହ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ କରିବେ । ଏହାସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ର ୧୦ଲକ୍ଷ ହିତାଧିକାରୀଙ୍କୁ 'ଘର ମଞ୍ଜୁରୀ ପତ୍ର', ୨୬ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବଂଟନ ସହ 'ଆବାସ+ ୨୦୨୪'ର ଆପ୍ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ସାଢ଼େ ୩ଘଣ୍ଟାର ଓଡ଼ିଶା ଗସ୍ତ ପାଇଁ ଆଜି ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି ସମୀକ୍ଷା ଅନୁଷ୍ଠିତ ହୋଇଛି ।












Click it and Unblock the Notifications