ବିଦାୟ ନେଲା ମୌସୁମୀ, କେଉଁ ବର୍ଷ କେଉଁ ସମୟରେ ପ୍ରତ୍ୟାବର୍ତ୍ତନ କରିଥିଲା ମୌସୁମୀ?
ବିଦାୟ ନେଲା ମୌସୁମୀ । ରାଜ୍ୟର ଅନେକ ସ୍ଥାନରୁ ଅପସାରଣ କରିଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ତେବେ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଥିବାବେଳେ ଆସନ୍ତା ଦୁଇ ଦିନରେ ରାଜ୍ୟର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀ ଅପସାରଣର ସମ୍ଭାବନା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ତେବେ ରାଜ୍ୟରେ ଗତ କିଛିଦିନ ହେବ ମୌସୁମୀର ସ୍ଥିତି ଦୁବଳ ରହିବା ସହ ବର୍ଷାର ପରିମାଣ କମ ରହିଛି । ଏହାସହ ତାପମାତ୍ରା ବୃଦ୍ଧି ପାଇଛି। କେତେକ ସ୍ଥାନରେ ସ୍ୱାଭାବିକ ଠାରୁ ୨ ରୁ ୩ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ବିଶେଷ କରି ଟ୍ବିନସିଟିରେ ୩୪ ଡିଗ୍ରୀ ଉପରେ ତାପମାତ୍ରା ରହୁଛି ।
ଏହି ସ୍ଥାନରୁ ଫେରିଛି ମୌସୁମୀ:
ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତନର ପାଗ ଅନୁକୂଳ ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଯାଜପୁର, ନୟାଗଡ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ଦେବଗଡ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ସହ ବଲାଙ୍ଗୀର, କନ୍ଧମାଳ ଓ ଗଞ୍ଜାମର ଅନେକ ସ୍ଥାନରୁ ପ୍ରତ୍ୟାବର୍ତ୍ତନ କରିଛି ମୌସୁମୀ । ଏହାସହ ନୂଆପଡା ଓ କଳାହାଣ୍ଡିର କିଛି ଅଂଶରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି ।
୫ ଦିନ ଯାଏଁ ଶୁଖିଲା ପାଗ:
ଆଗାମୀ ୫ ଦିନ ଯାଏ ଅଧିକାଂଶ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ କାଁ ଭାଁ ସ୍ଥାନରେ ବର୍ଷାର ସମ୍ଭାବନା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗ ନିୟାମକର ପ୍ରଭାବ ନାହିଁ । ଆସନ୍ତା ୨୪ ଘଣ୍ଟାରେ ଗଂଜାମ, ଗଜପତି, ରାୟଗଡ଼ା , ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆସନ୍ତାକାଲି କୋରାପୁଟ, ରାୟଗଡା ଓ ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ହାଲୁାକରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି ।
କେଉଁ ବର୍ଷ କେଉଁ ସମୟରେ ପ୍ରତ୍ୟାବର୍ତ୍ତନ କରିଥିଲା ମୌସୁମୀ?
ଚଳିତ ବର୍ଷ ରାଜ୍ୟରେ ସ୍ବାଭାବିକ ବର୍ଷା ୧୦୯୨.୦ ପ୍ରତିଶତ ଅନୁଭବ ହୋଇଛି ଯାହା ପୂର୍ବ ପରିମାଣ ୧୧୫୦.୨ % ତୁଳନାରେ ୫ ପ୍ରତିଶତ କମ୍ ।
ସେହିପରି ୨୦୨୦ ମସିହା ଅକ୍ଟୋବର ୨୬ ରୁ ୨୮ ଭିତରେ ଓଡ଼ିଶାରୁ ବିଦାୟ ନେଇଥିଲା ମୌସୁମୀ । ୨୦୨୧ରେ ଅକ୍ଟୋବର ୧୧ ରୁ ୨୩ ଭିତରେ ଓଡ଼ିଶାରୁ ବିଦାୟ ନେଇଥିଲା ମୌସୁମୀ। ୨୦୨୨ରେ ଅକ୍ଟୋବର ୨୦ ରୁ ୨୧ରେ ଭିତରେ ବିଦାୟ ନେଇଥିଲା । ୨୦୨୩ରେ ଅକ୍ଟୋବର ୧୩ରେ ଓଡ଼ିଶାରୁ ସମ୍ପୂର୍ଣ୍ଣ ବିଦାୟ ନେଇଥିଲା ମୌସୁମୀ । ୨୦୨୦ରେ ୧୧୪୦.୮ ପ୍ରତିଶତ ସ୍ବାଭାବିକ ବର୍ଷା ହୋଇଥିବାବେଳେ ୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ସେହିପରି ୨୦୨୧ ରେ ୧୦୪୭.୦ ପ୍ରତିଶତ ବର୍ଷା ହୋଇଥିବାବେଳେ ୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ୨୦୨୨ ରେ ୧୧୯୬.୮ ପ୍ରତିଶତ ବର୍ଷା ହୋଇଥିବାବେଳେ ୪ ପ୍ରତିଶତ ଅଧିକ ବର୍ଷା ହୋଇଛି। ୨୦୨୩ ରେ ୧୧୧୫.୪ ପ୍ରତିଶତ ବର୍ଷା ହୋଇଥିବାବେଳେ -୩ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ଼ ହୋଇଛି । ଚଳିତ ବର୍ଷ ୨ ଜିଲ୍ଲା ନୂଆପଡ଼ା ଓ ମାଲକାନଗିରିରେ ପ୍ରବଳ ବର୍ଷା ହୋଇଛି । ୨୪ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି ଓ ୪ ଜିଲ୍ଲା ଭଦ୍ରକ, କେନ୍ଦୁଝର, ଦେବଗଡ ଓ ଝାରସୁଗୁଡ଼ାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।












Click it and Unblock the Notifications